STORYMIRROR

Chinmaya Kumar Nayak

Others

4  

Chinmaya Kumar Nayak

Others

ତୁମ ଅଗଣାର ତୁଳସୀ

ତୁମ ଅଗଣାର ତୁଳସୀ

1 min
392

ଅନେକ ପ୍ରୟାସ କରିଛି

ମାଟିର କୁଡୁଆ ଭିତରେ ନିଜକୁ ଆୟତ୍ତ କରିବାକୁ

ଅଗଣାର ସେଇ ନିର୍ଦ୍ଦିଷ୍ଟ ଜାଗାଟିରେ

ସ୍ଥିର ଭାବେ ଚଉରା ହୋଇ ଆଣ୍ଠେଇବାକୁ

କିନ୍ତୁ କାହିଁକି କେଜାଣି ପାରିନି। 


ଦିନଯାକର ତପସ୍ୟା ପରେ ମୋର ଲୋଭ ନାହିଁ

ସକାଳର ସେଇ ବିଶ୍ୱାସର ଶୀତଳ ଜଳ ବୁନ୍ଦାକୁ

ନା କାମନାର ସଳିତାକୁ ଜାଳିବାକୁ ଇଚ୍ଛା

ନା ଜଞ୍ଜାଳର ଧୂପର ଧୂଆଁରେ ହଜିବାର ଇଚ୍ଛା

ପବନର ନିଇତି ବଦଳୁଥିବା ଯୋଜନାରେ ପଡ଼ି

ମୁଁ ଚେଷ୍ଠା କରେ ତୁମ ଅଗଣାରେ ଟିକେ ଝୁଲିବାକୁ

କିନ୍ତୁ କାହିଁକି କେଜାଣି ପାରିନି। 


ପୂଜାଫୁଲ ସହ ସନ୍ଧି କରି

କି ବା ଲାଭ ପାଇବି ଦୁଇ ପତ୍ରରୁ ବାସି ଉଠିଲେ

ତୁମ ଅଭିଧାନର ସଂସ୍କାର ନାମକ ଶବ୍ଦର ସଂଜ୍ଞା ଖୋଜି ଖୋଜି

ମୁଁ ଆଜି ବି ଭ୍ରମିତ ମୋ ଜୀବନର ଲକ୍ଷ୍ୟକୁ ନେଇ

ତୁମ ଠାକୁର ଘରେ ମୋର ଖଣ୍ଡିତ ଦେହ ଭିତରେ

ବହୁବାର ଖୋଜିଛି ନିଜକୁ

କିନ୍ତୁ କାହିଁକି କେଜାଣି ପାଇନି। 


ବାରମ୍ବାର ଆକୃଷ୍ଟ ହୋଇଛି 

କାକଟସ୍ ଓ ମନିପ୍ଲାଣ୍ଟର ସମ୍ମୋହନରେ ବିହ୍ଵଳିତା ପ୍ରାୟ

ତୁମ ତୁଳସୀର ମର୍ଯ୍ୟାଦା ଫିକା ଲାଗେ ବେଳେବେଳେ

ମୁଁ ତୁମ ଲକ୍ଷ୍ମଣରେଖାକୁ ଡେଇଁଛି ନିର୍ଦ୍ୱନ୍ଦ୍ୱରେ

ଗୋଲାପର ମୋହରେ ପଡ଼ି କଣ୍ଟାକୁ ଆଦରିଛି ପଛେ

ନାଇବାକୁ ଚାହିଁନାହିଁ ତୁଳସୀର ଜଟା

ସତରେ ବହୁବାର ନିଜକୁ ସଜେଇ ହେବାକୁ ଚାହିଁଛି

ତୁମ ଅଗଣାର ତୁଳସୀ ହୋଇ ବନ୍ଦୀ ହେବାକୁ,

କିନ୍ତୁ କାହିଁକି କେଜାଣି ପାରିନି। 



Rate this content
Log in