ତୁ ତ ଶରଣ ରକ୍ଷଣ
ତୁ ତ ଶରଣ ରକ୍ଷଣ
ତୋ ପାଖେ ଶରଣ ଯାଇଛି କାହ୍ନୁରେ,
ତୁ ତ ଶରଣ ରକ୍ଷଣ।
ଆନ ପାଇଁ କିଆଁ ଆନମନା ହେବି,
ତୁ ତ ମୋର ପ୍ରାଣଧନ।......୧
କେତେ ମାୟାଜାଲୁ ଉଦ୍ଧାର ହୋଇ ମୁଁ
ଫେରିଆସେ ପାଖେତୋର।
କାଳେ ଦୂରେଇବି ତୋ ଠାରୁ ଭ୍ରମରେ,
ଭ୍ରମଦୂରକରୁ ମୋର।......୨
ତୁହି ଏକା ଜାଣୁ ମୋର ମନୋଭାବ,
ସଂସାର ସାରା ଜଟୀଳ
ସାହା ହୋଇ ବାଟ କଢାଉଥା' ନୀତି
ନ ହେଉ କୈାଣସି ଗୋଳ।......୩
ଗୋଳରୁ ଶାନ୍ତି ତ ହୁଅଇ ବିନଷ୍ଟ,
ବିଚଳିତ ଅହର୍ନିଶି।
ଅସ୍ଥିର ମନଟି ଲକ୍ଷ୍ୟଭ୍ରଷ୍ଟ ହୁଏ,
ପାଏନି ଜୀବନେ ଖୁସି।......୪
ତୋ ଭକ୍ତି ରଜ୍ଜୁରେ ମୋ ମନ ଘୋଟକେ
କରି ସଦା ନିୟନ୍ତ୍ରଣ
ହୃଦୟ ଟି ମୋର ଚହଲା ପାଣି ଯେ
କର ତୋ ଲାଗି ଦର୍ପଣ।.....୫
ଯେ ଦର୍ପଣେ ମୁଖ ଦେଖୁଥିବୁ ତୁହି
ମୋ ଭକ୍ତି ରେ ସ୍ନାନସାରି
ନିତ୍ୟ ପ୍ରେମ ସମର୍ପଣ ନୈବେଦ୍ୟ ରେ
ତୋର ଚିତ୍ତ ତୋଷ କରି।.....୬
ଦାସ ଜଗନ୍ନାଥ ପରି ଲେଖୁଥିବି
ତୋ ନାମେ ଗୀତଗୋବିନ୍ଦ
ମୀରା ପରି ମୁଁ ହିଁ ଭଜନ ଗାଇବି
ହୋଇ ଭକ୍ତି ଗଦଗଦ।......୭
ରାଇ ପରି ତୋର ପ୍ରେମେ ମୁଁ ପାଗଳୀ
ଝୁରିମରୁଥିବି ନୀତି
ଦେବଦାସୀ ପରି ତୋ ମନ ମୋହି ବି
ନାଚୁଥିବି ତେଜି ଭୀତି।......୮
ସୁଦାମା ପରି ମୁଁ ଅଗାଧ ବିଶ୍ୱାସ
ରଖିଥିବି ତୋହ ଠାରେ
ହନୁ ପରି ତୋର ସେବା କରୁଥିବି
ଭିଜି ନିଷ୍କାମ ଭକ୍ତି ରେ।......୯
ଭରତ ପରି ମୁଁ ସମର୍ପିତ ଥିବି
ନିଃସ୍ୱାର୍ଥପର ଚିତ୍ତରେ
କାକ ଭୁଷଣ୍ଡର ପ୍ରାୟେକ ତୋ ନାମ
ଯଶ ଗାଇ ଏ ସଂସାରେ।......୧୦
