STORYMIRROR

Satyabati Swain

Children Stories

3  

Satyabati Swain

Children Stories

ତୁ କିନ୍ତୁ ଡରିବୁ ନାହିଁ

ତୁ କିନ୍ତୁ ଡରିବୁ ନାହିଁ

1 min
346

ତୁ କିନ୍ତୁ ଡରିବୁ ନାହିଁ


ଫଟା ମୋ କପାଳ ଫଟା କାନ୍ଥ ମୋର

 ଦିନରେ ଘରେ ସୁରୁଜ

ରାତିରେ ଦିଶଇ ଜହ୍ନ ତାରା ସେଠି

  ନିଃସଙ୍ଗ ବାର୍ଦ୍ଧକ୍ୟ ଆଜ।


ଗଜା ପୁଅ ବୋହୂ ଆଶା ବାଡିକୁ ମୋ

  ଦଇବ ନେଲା ଛଡାଇ

ଥକିଲା ବୟସେ ଥରିଲା ହାତରେ 

  ବଞ୍ଚେ ନାତୁଣୀକୁ ନେଇ।


ଭାଙ୍ଗି ପଡିଥିବା ଅଣ୍ଟାକୁ ଏବେ ମୁଁ

   ସଳଖି ହୁଅଇ ଠିଆ

ଏକୋଇର ବାଳି ନାତୁଣୀକୁ ନେଇ

  ବାହୁଛି ଜୀବନ ନାଆ।


ଆଖିରେ ଆଖିଏ ସପନ ତା ଖୁନ୍ଦା

  ଗଢିବା ବଢିବା ପାଇଁ

ହଟିଆ ବିଧାତା ହଟ କଲା ସିନା

  ମୁଁ କିନ୍ତୁ ଡରଇ ନାହିଁ।


ବୟସ ଷାଠିଏ ହେଲେ ହେଁ ମୋତେ

  ମନେ ଅସରନ୍ତି ଆଶା

ନାତୁଣୀକୁ ମୋର ମଣିଷ କରିବି

  ରଖିଛି ମନେ ଭରସା।


ହଳଦିଆ ପତ୍ର ହେଲେଣି ତ ମୁହିଁ

  କେତେବେଳେ ଯିବି ଝଡି

ନାତୁଣୀ ମନରେ ସାହସ ଭରୁଛି

  ଲଢ଼ିବ ସୁନାମି ବଢ଼ି।


ଅଭାବୀ ସଂସାର ଚାଳ ମାଟି କାନ୍ଥ

  ଫାଟି କି କରିଛି ଆଁ

ନାତୁଣୀ କହୁଛି ଫଟା ସିଇଁ ଦେବ

  ଏଥକୁ ଛାନିଆଁ କିଆଁ।


କଅଁଳ କଢିଟି ଟିକି ହାତ ତାର

  ପାଉନି ଫଟା କାନ୍ଥକୁ

କହୁଅଛି ଜେଜେ ଧରିଥା ସାଇକେଲ

  ଚଢି ଯୋଡ଼ିବି ସେଇଟିକୁ।


ଦୀର୍ଘଶ୍ଵାସ ମୋର ପଞ୍ଜରା ଥରାଇ

  ନିଃଶବ୍ଦରେ କୋହ ଆସେ

ବ୍ୟସ୍ତ ହୁଅ ନାହିଁ ଯୋଡି ଦେବି କାନ୍ଥ

  ନାତୁଣୀ କୁହେ ସାହସେ।


ପାଖେ ସିଇଁଲେ ଫଟା ଆର ପାଖ

  ଦଦରା ପଣତ ପରି

ଅଭାବୀ ସଂସାରେ ନାତୁଣୀ ବିଶ୍ୱାସ

  ଦେଖି ଆଖି ଯାଏ ଭରି।


କଷିକି ଧରିଛି ସାଇକେଲ ଗେହଲୀ

  ତୁ ନିଶ୍ଚେ ପାରିବୁ ଦିନେ

ସଫ୍ଟପିନ୍ ରେ କାନ୍ଥ ଯୋଡ଼ିଦେବୁ

  ଜଗତରେ ହୋଇ ଜଣେ।


ଭାଗ୍ୟ ସିନା ତୋତେ ନିରୀମାଖୀ କଲା

  ତୁ କିନ୍ତୁ ଡରିବୁ ନାହିଁ

ଉଦ୍ ଯୋଗ କର୍ମ ବଳରେ ଅସାଧ୍ୟ 

   ସାଧନ କରିବୁ ତୁହି।

  

କୋଟିଏ ପୁଅର କାମ ତୁ କରିବୁ

  ଦୃଷ୍ଟି ଭଙ୍ଗୀ ବଦଳିବ

ଅସମ୍ଭବକୁ ସମ୍ଭବ କରିବୁ ଧନ ଦେଖି

   ବିଶ୍ୱ ଚକିତ ହେବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍