STORYMIRROR

Dr Baman Chandra Dixit

Others

3  

Dr Baman Chandra Dixit

Others

ଟିକେ ସଂଜୀବନି

ଟିକେ ସଂଜୀବନି

1 min
128


କଲମରୁ କାଳି ସରି ତ ଗଲାଣି 

ତଥାପି ଲେଖିବା ବାକି

ନିହାଣ ଘଷୁଛି ପଥର ବୁକୁରେ

ରାମ୍ପୁଛି କାଗଜ ଛାତି।।


ବଞ୍ଚିବା ମରିବା ଉଭୟ ପାଇଁକି

ଜୀବନ ଗୋଟିଏ ଲୋଡ଼ା

ମରୁ ମରୁ ନିଜେ ବଞ୍ଚୁଛି ଯେ ନିତି

ପରିଚୟ ତା ଅଲୋଡା।।


ହସ ଲେଖୁଲେଖୁ ଲୁହ ଝରିଯାଏ

ଲୁହ ଲହୁ ପରି ଦିଶେ

ବେଦନା ବିଦୀର୍ଣ୍ଣ ବୁକୁ ତଳୁ କେବେ

ଆସ୍ୱସ୍ତି ଅନେଇ ହସେ।।


ସାଇତିଛି ଯାହା ସ୍ମୃତି ପେଟିକାରେ

ତୁମେ ତ ଗଲଣି ଭୁଲି

ନିଜକୁ ନିଜେ ମୁଁ ଶୁଣାଉଛି ତାହା

ନିଜେ ଭୁଲିନାହିଁ ବୋଲି।।


କଥା ଥିଲା ଦିନେ ଭେଟ ହେବ ଏହି

ବାଟ ବରଗଛ ତଳେ

ବଟ ନାହିଁ ବାଟ ଅଜଣା ଲାଗୁଛି

ସ୍ମୃତିର ସଉଧ ତଳେ।।


ନିଜେ ଲେଖି ନିଜେ ପଢୁଛି ନିଜକୁ

ମଉନେ ମଉନେ ନିତି

ଶୁଣେଇବା ପାଇଁ ସାଥି ତୁମେ ନାହଁ

ନାହିଁ ସେ ଚାନ୍ଦିନୀ ରାତି।।


ଯେବେ ଯଦି କିଛି କହିବା ପାଇଁକି

ଅଝଟ କରେ ମୋ ମନ

କଣ୍ଠ ଭେଦ କରି ଶବ୍ଦ ଯେ ବାହାରେ

କରୁଣ କ୍ରନ୍ଦନ ସ୍ଵନ।।


ମଉନ ଆଜି ମୋ ଅଭିବ୍ୟକ୍ତି ସବୁ

ଅସ୍ପଷ୍ଟ ସ୍ୱର ସ୍ୱାକ୍ଷର

ଓହଳି ରହିଛି ଭଙ୍ଗା ବେହେଲାର

କେଇ ଖଣ୍ଡ ଛିଣ୍ଡା ତାର।।


କାହିଁକି କେଜାଣେ ଆଜି ଇଚ୍ଛା ହୁଏ

ପୁଣି ଟିକେ ବଞ୍ଚିବାକୁ

ଦରମଲା ଦେହେ ଜୀବନକୁ ଯୋଖି

ସଂଜୀବନି ସିଞ୍ଚିବାକୁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍