STORYMIRROR

Ajaya Mahala

Others

2  

Ajaya Mahala

Others

ଟିକେ ଜାଣନ୍ତିନି ?

ଟିକେ ଜାଣନ୍ତିନି ?

1 min
14K


ମୋ ନାଁ ପରି

ସମାନ ନାଆଁ ରଖିଥିବା କେହି ଲୋକ

କେବେ ମିଳିଗଲେ

କଣ୍ଠ ସ୍ୱର ତୁମର ନରମି ଯାଇନି ତ?

ଆଉ ସେଇଠୁ ଭାବି ବସିନା ତ

ଯେତେ ପଛ କଥା ?

କହିନି କେବେ ବି

କେବେ ମୋ ନାଆଁକୁ

ତୁମ ନାଆଁରେ ଯୋଡି

ମିଶାଣ ଫେଡ଼ାଣ କର ବୋଲି

କିନ୍ତୁ ଭୁଲରେ ଯଦି ତୁମ କଲମରେ

ମୋ ନାଁ ଲେଖି ହୋଇଗଲା

ତାକୁ ନିର୍ମ୍ମମତା ସହ କାଟିବା ପୂର୍ବରୁ

କିଛି ସମୟ ଦେଇଛ ତ

କାଗଜରେ ପଡି ରହିଥିବା

ସେଇ ନାଆଁ ଟିକକୁ

ତୁମକୁ ଦେଖିବାକୁ ?

ଗୋଡେଇ ଯାଇନି

ତୁମ ପଛେ ପଛେ ମନ୍ଦିର

ଆସିନି କେବେ ତୁମ ଦିଅଁ

ଆଉ ତୁମ ଭିତରେ ଅନ୍ତରାୟ ହୋଇ

ଭୁଲରେ କେବେ ବି

ତୁମ ପ୍ରାର୍ଥନାକୁ କଳୁଷିତ କରିନି

ଆଜେ ବାଜେ ଭାବନାରେ ଆସି

କିନ୍ତୁ ଭଗବାନଙ୍କ ଆଗରେ

"ଏମାନଙ୍କୁ ଭଲରେ ରଖ" କହି

ଯେତେବେଳେ କିଛି ଲୋକଙ୍କ ନାଆଁ

ନୀରବରେ ଗଣାଇଛ

ସେଇ ନାଆଁ ଗୁଡିକ ଭିତରେ

ମୋ ନାଆଁ ଥାଏ ତ ?

ମାଗିନି ତୁମର

ପୂରା ଚବିଶ ଘଣ୍ଟା

ମାଡି ବସିନି ତୁମ ମନର ଦ୍ୱାରବନ୍ଧକୁ

ଭାବନାକୁ ଅବରୁଦ୍ଧ କରି

କିନ୍ତୁ ତୁମର ଦିନ ତମାମର କାମ

ସରିଗଲା ପରେ

ତୁମେ ଯେଉଁ ବିଛଣାକୁ ଯାଅ

ବତୀ ଲିଭେଇବା ପର ଠାରୁ ଆରମ୍ଭ କରି

ଆଉ ଆଖିକୁ ନିଦ ଆସିବା ପୂର୍ବରୁ

ଯେଉଁ କିଛି ମିନିଟିର

ଅନାବନା ଭାବନା

ତା ଭିତରେ କିଛି ସେକେଣ୍ଡ

ମୋହର ହୋଇଛି ତ ?


Rate this content
Log in