ତ୍ରୀଶଙ୍କୁ
ତ୍ରୀଶଙ୍କୁ
ଅଜଣା ବଜାରର ଅନ୍ଧ ଗଳିରେ,
ଆପଣାର ଠିକଣା ହଜାଇଦେଲି,
ରାସ୍ତା ସବୁ ପୁରୁଣା, ଜଣାଶୁଣା ଥିଲା,
ହେଲେ ଚିହ୍ନାଜଣା ଲୋକ
ଅଚିହ୍ନା ଅଜଣା ଲାଗୁଥିଲେ,
ଚିହ୍ନିବାରେ ଦୋ ଦୋ ଚିହ୍ନା ହେଉଥିଲେ,
ଶେଷରେ ଭୂଲିଗଲି,
କାହାକୁ ଖୋଜୁଥିଲି ବୋଲି,
ଆପଣାର ଲୋକଙ୍କୁ
ପୁଣି ଥରେ ନିଜର ପରିଚୟ ଦେଲି ।
ଶୀର୍ଷରେ ଉଡିବାର ଅଦମ୍ୟ କାମନା
ଡେଣାରେ ମୋ ଭରିଦେଲା ଶାଗୁଣାର ଶକ୍ତି,
ଅନନ୍ତ ଆକାଶର ସର୍ବୋଚ୍ଚ ଶିଖରେ ଉଡି
ଦୁନିଆର ଦୃଶ୍ୟ ଦେଖୁଥିଲି ।
ପକ୍ଷୀକୁ ତ ଜଣାଥିଲା,
ଉଚ୍ଚ ଆକାଶରେ
ବସିବାକୁ ଯାଗା ଟିକେ ନାହିଁ,
ତାକୁ ପୁଣି ଫେରିବାକୁ ହେବ
ମାଟିର ସେ ଧରିତ୍ରୀ କୋଳକୁ
କେଉଁ ଏକ ତରୁ ଡାଳେ
ନୀଡଟିଏ ବାନ୍ଧିବାକୁ ।
କିନ୍ତୁ କେମିତି ମୁଁ ଭୂଲିଗଲି,
ଶୀର୍ଷତାରେ ନିଜ ଆସନକୁ,
ପକ୍କା ଭାବିନେଲି !
ଶେଷେ ତ୍ରୀଶଙ୍କୁର ଭାଗ୍ୟନେଇ
ଯେବେ ନିଜ ଘରକୁ ଫେରିଲି,
ସେତେବେଳେ ନା' ମୁଁ ସ୍ୱର୍ଗର ହେଲି
ନା ମୋର ନିଜ ଧରିତ୍ରୀର,
ଅବଶେଷେ ମୁଁ ମୋର ନିଜ ଦେଶେ,
ପରଦେଶୀ ହୋଇଗଲି ।
