ତ୍ରି ର ମହତ୍ତ୍ବ
ତ୍ରି ର ମହତ୍ତ୍ବ
ତ୍ରିକାଳ ଅଟଇ ସଂସାର ମଧ୍ଯରେ
ପ୍ରାତଃ,ମଧ୍ଯାହ୍ନ,ସାୟାହ୍ନ ,
ଏଇ କାଳ ଦେଇ ଜୀବନଟି ବିତେ
ରହିଯାଏ ଖାଲି ଚିହ୍ନ ।
ସଂସାର ମଧ୍ଯରେ ଗଢିଲା ତ ବିହି
ତ୍ରିବର୍ଣ୍ଣ ଉପମା ଦେଇ ,
ବ୍ରାହ୍ମଣ, କ୍ଷତ୍ରିୟ ବୈଶ୍ଯ ତିନିଜାତି
ଗୁଣର ମହତ୍ତ୍ବ ଦେଇ ।
ତ୍ରିପୁର ସର୍ଜନା ସ୍ରଷ୍ଟାଙ୍କ ରଚନା
ସ୍ବର୍ଗ,ମର୍ତ୍ତ୍ଯ ଓ ପାତାଳ ,
ତ୍ରିଫଳା ମହିମା ସର୍ବେ ଅଛି ଜଣା
ହରିଡା,ବାହାଡା,ଅଁଳା ।
ତ୍ରିବର୍ଗର ସୃଷ୍ଟି ସବୁଠୁ ଉତ୍ତମ
ଧର୍ମ,ଅର୍ଥ ଆଉ କାମ ,
ସୃଷ୍ଟି,ସ୍ଥିତି,ଲୟ ତିନୋଟି ବଳୟ
ଜୀବନରେ ପ୍ରତିକ୍ଷଣ ।
ରାତ୍ରି, ନୀଳଗୁଳ୍ମ ଅବା ସେ ହଳଦୀ
ତ୍ରିଯାମାରେ ପରିଚିତ ,
କାଳୀ,ତାରା ଆଉ ତ୍ରିପୁରା ମିଳିତେ
ତ୍ରିଶକ୍ତି ଭାବେ ପୂଜିତ ।
ତ୍ରିପୁଷ୍କର ଭାବେ ହୁଏ ପରିହିତ
ଜ୍ଯେଷ୍ଠା,କନିଷ୍ଠା,ମଧ୍ଯମା ,
ଚିନ୍ତନ ଭିତରେ ତୃତୀୟର ଶକ୍ତି
କଳି କେ ପାରେ ଉପମା !
ସୃଷ୍ଟି ରଚୟିତା ସୃଷ୍ଟିର ନିୟମେ
ଗଢିଛନ୍ତି ତିନି ଲିଙ୍ଗ ,
ନାରୀ,ପୁରୁଷ ଓ କିନ୍ନର ଗଢିଲେ
ଭାବିଚିନ୍ତି ଧରେ ମଙ୍ଗ ।
ତ୍ରିକୁଳ ଭାବରେ ସଦା ପରିଚିତ
ପିତୃ,ମାତୃ,ଶାଶୁଘର ,
ତ୍ରିଗର୍ତ୍ତ ରୂପରେ ହୁଏ ଅଭିହିତ
ଗଙ୍ଗା,ସିନ୍ଧୁ,ବ୍ରହ୍ମପୁତ୍ର ।
ଆଧିଦଇବିକ ଆଧିଭଉତିକ
ଆଧ୍ଯାତ୍ମିକ ସେ ତ୍ରିତାପ ,
ତ୍ରିଦୋଷ ଚିହ୍ନିତ ହୁଏ ବାରବାର
ବାତ୍ତ,ପିତ୍ତ ଆଉ କଫ ।
ଖଳ,ଶଠ ଆଉ ଦୁର୍ବୁତ୍ତ ମିଶିଲେ
ତ୍ରିପିଣ୍ଡ ଅଟେ ତ ଜାଣ ,
ଭୂତ,ଭବିଷ୍ଯତ ବର୍ତ୍ତମାନ ନେଇ
ତ୍ରିକାଳିକ ଭାବେ ଗଣ ।
ତ୍ରିଦଶାୟୂଧ ଯେ ଇନ୍ଦ୍ରଧନୁ, ବଜ୍ର
ଚଡକ ଅଟଇ ତିନି ,
ତ୍ରିଅବସ୍ଥା ଆମ ବାଲ୍ଯ,ଯଉବନ
ବାର୍ଦ୍ଧକ୍ୟ ଶେଷ ତ ପୁଣି ।
