ତୋହରି ଅମୃତ ଧାରା
ତୋହରି ଅମୃତ ଧାରା


ଅବିରତ ହୋଇ
ତୋ କୋଳୁ ଝରଇ
ଝର ଝର ହୋଇ ନୀର,
କଳ କଳ ହୋଇ
ଶୋଭା ପାଉଥାଇ
ରଜତେ ଢଙ୍କା ଚଦର ।
କରେ ଆକର୍ଷଣ
ଏ ଘଞ୍ଚ କାନନ
କିଣେ ବାଟୋଇଙ୍କ ମନ,
ହେଲେବି ନିର୍ଜନ
ବୁଝେ ନାହିଁ ମନ
ହେଉଥାଏ ଛନ ଛନ ।
କଅଁଳିଆ ଘାସ
ପଥର ବାଉଁଶ
ଘଷି ମାଜି ହୁଏ ନିତି ,
ପରଶେ ତୋହରି
ଆତ୍ମ ଯାଏ ଭରି
ଦିବା ନିଶି ହସୁଥାନ୍ତି ।
ଯାତ୍ରୀ ଦଳ ଦଳ
ପଥିକ ର ମେଳ
ଭିଡ ଲାଗେ ତୋରି ଠାରେ ।
ଲାଗେ ରୋପ୍ୟକେଶୀ
ତୋ କୋଳରେ ବସି
ଦେହେ ପାଣି ଛିଟା ମାରେ,
କଣରେ କଣେଇ
ଲାଜରେ ଲାଜେଇ
ରୂପସୀ ରତନ ହସେ,
କେଡେ ମନଲୋଭା
ଦୃଶ୍ୟ ରାଜି ଆଭା
ସଭିଙ୍କ ମନ ହରଷେ ।
ତୋ ଦେହେ ଅସନା
କରିବା ଯେ ମନା
ନିର୍ମଳ ତୋ ଜଳରାଶି ,
ସବୁଜ ସୁନ୍ଦର
ଅରଣ୍ୟ ତୋହର
ଯତ୍ନ ନେବା ମିଳିମିଶି ।
ହସୁଥିଲେ ତୁହି
ହସିବ ଏ ଭୁଇଁ
ହସିବ ଏ ବସୁନ୍ଧରା ,
ହସର ଜଗତ
ଗଢିବ ତୁରିତ
ତୋହରି ଅମୃତ ଧାରା ।