ତୋ ଇଚ୍ଛାରେ ଚାଲେ ସାରା ସଂସାର
ତୋ ଇଚ୍ଛାରେ ଚାଲେ ସାରା ସଂସାର
ଧୃତରାଷ୍ଟ୍ର ଥିଲା ଜନ୍ମରୁ ଅନ୍ଧ
ରାଜା ହେବା ପାଇଁ ଅଟେ ଅଯୋଗ୍ୟ
ତାର ସାନ ଭାଇ ନାମ ତା ପଣ୍ଡୁ
ରାଜା ହେଲା ଭାଇ ଅକ୍ଷମ ହେତୁ
ତୋ ଇଚ୍ଛାରେ ଚାଲେ ସାରା ସଂସାର
ଜାଣେ ମୁଁ କହ୍ନେଇ ନାଟ ତୋହର ।
ଭାଗ୍ୟ ବିଡମ୍ବନା ଦେଖି ନିଜର
ହିଂସା ଉପୁଜିଲା ମନ ମଧ୍ୟରେ
ସହି ପାରିଲାନି ପଣ୍ଡୁର ସୁଖ
ବିନାଶ ପାଞ୍ଚିଲା ସଦା ତାହାର
ପ୍ରତିହିଂସା ପରାୟଣ ଦୁର୍ବଳ
ଜାଣେ ମୁଁ କହ୍ନେଇ ନାଟ ତୋହର
ତୋ ଇଚ୍ଛାରେ ଚାଲେ ସାରା ସଂସାର ।
ଅଜଣା ରୋଗରେ ଆକ୍ରାନ୍ତ ହୋଇ
ମଲା ଅକାଳରେ ପଣ୍ଡୁ ସେ ପାଇଁ
ଅନାଥ ହୋଇଲେ ତା’ ପାଞ୍ଚ ପୁତ୍ର
ଯୁଧିଷ୍ଠିର ଅଟେ ତା ଜେଷ୍ଠ ପୁତ୍ର
ନିଶ୍ଵାସ ପଡିଲା ଧୃତରାଷ୍ଟ୍ରର
ଜାଣେ ମୁଁ କହ୍ନେଇ ନାଟ ତୋହର
ତୋ ଇଚ୍ଛାରେ ଚାଲେ ସାରା ସଂସାର ।
ଅନ୍ଧ ଧୃତରାଷ୍ଟ୍ର ପୁତ୍ର ଶହେଟି
ସବୁ ଦୁଷ୍ଟ ପୁଣି ହୀନ ପ୍ରକୃତି
ବଡ ପୁତ୍ର ଦୁର୍ଯ୍ୟୋଧନ ତାହାର
ବଡ ଅଭିମାନୀ ହିଂସା ପ୍ରବଳ
ଗର୍ବ ସର୍ବନାଶ କରେ ନିଜର
ଜାଣେ ମୁଁ କହ୍ନେଇ ନାଟ ତୋହର
ତୋ ଇଚ୍ଛାରେ ଚାଲେ ସାରା ସଂସାର ।
ନ୍ୟାୟ ନିଶାପରେ ଯୁଧିଷ୍ଠିର ବଡ
ଦୁର୍ଯ୍ୟୋଧନ ପାଇଁ ହୋଇଲା କାଳ
ମାରିବା ନିମନ୍ତେ ଉପାୟ କଲା
ବିଷ ଲଡୁ ଆଣି ଭୀମକୁ ଦେଲା
ଡେଙ୍ଗା ମୁଣ୍ଡେ ପଡେ ଠେଙ୍ଗା ପ୍ରହାର
ଜାଣେ ମୁଁ କହ୍ନେଇ ନାଟ ତୋହର
ତୋ ଇଚ୍ଛା ରେ ଚାଲେ ସାରା ସଂସାର ।
ଧରମ ବଳରୁ ବଞ୍ଚିଲା ସିଏ
ରଖେ ହରି ଯେବେ ମାରିବ କିଏ
ଧରା ପଡିଗଲା ଚକ୍ରାନ୍ତ ତାର
ସମସ୍ତେ କରିଲେ ନିନ୍ଦା ଅପାର
ନିଜ ଧର୍ମ ସଦା ଅଟେ ନିଜର
ଜାଣେ ମୁଁ କହ୍ନେଇ ନାଟ ତୋହର
ତୋ ଇଚ୍ଛାରେ ଚାଲେ ସାରା ସଂସାର ।
ପୁଅର ଏପରି ବିବାଦ ଦେଖି
ଧୃତରାଷ୍ଟ୍ର ଦେଲା ଅଲଗା କରି
ବାରୁଣାବନ୍ତରେ କରିଲା ଘର
ମାରିବା ଉଦ୍ଦେଶ୍ୟ ଥିଲା ବି ତାର
ନିଜ ଘରେ ଥାନ୍ତି ନିଜ ବଇରୀ
ଜାଣେ ମୁଁ କହ୍ନେଇ ନାଟ ତୋହର
ତୋ ଇଚ୍ଛା ରେ ଚାଲେ ସାରା ସଂସାର ।
ସୁଚିନ୍ତିତ ଭାବେ ଗଢିଲା ଘର
ଘର ନୁହେଁ ସେ ତ ମରଣ ପୁର
ଆଗତ ଭବିଷ୍ୟ ଜାଣେ ବିଦୁର
ତେଣୁ ଉଦ୍ଧରିଲା ପଣ୍ଡୁ କୁମର
ରଖିବା ମାରିବା କାମ ହରିର
ଜାଣେ ମୁଁ କହ୍ନେଇ ନାଟ ତୋହର
ତୋ ଇଚ୍ଛା ରେ ଚାଲେ ସାରା ସଂସାର । (କ୍ରମଶଃ)
