ତମେ ଆସିବ ବୋଲି
ତମେ ଆସିବ ବୋଲି
ତମେ ଆସିବ ବୋଲି
କୂଳ ଲଙ୍ଘିଲାଣି ଯମୁନାର ନୀଳ ଜଳ ରାଶି
ଶୁଭିଲାଣି ସୁମଧୁର ବଂଶୀର ରାଗିଣୀ
ଯୁଗଳ ବନ୍ଦୀର କମନୀୟ କାନ୍ତିରେ
ଚଳଚଂଚଳ ହେଲାଣି ଶାନ୍ତ ସ୍ନିଗ୍ଧ କଦମ୍ବ ବନ ,
ମହମହ ବାସିଲାଣି ଧୂପ ଦୀପ ଅଗରୁ ଚନ୍ଦନ
ପତ୍ର ଗହଳରେ ଶୁଭିଲାଣି ମଧୁ ଗୁଂଜରଣ
ବହିଲାଣି ଧୀରେ ଧୀରେ ମୃଦୁ ସମୀରଣ
ସତେ କି ଓହ୍ଲାଇ ଆସିଛି ମାଟି ଅଗଣାକୁ
ପ୍ରୀତିସିକ୍ତ ମିଠା ମିଠା ଚେନାଏ ଫଗୁଣ
ଧରା ଲାଗେ ଯାହା ପାର୍ବଣ ପାର୍ବଣ ।
ହେଇ ଦେଖନା !
ହାତ ଠାରି ଡାଳୁଛି ତମକୁ କଦମ୍ବବନର ଛାଇ
ମଧୁମାଳତୀରେ ସୁରଭିତ ମଧୁକୁଞ୍ଜ
ପ୍ରୀତି ପୁଲକରେ ହସିଲାଣି କିରିକିରି
ପତ୍ର ଗହଳରେ ଝଲମଲ ଦିଶିଲାଣି ତମ ପ୍ରତିଛବି
ନୂପୁରର ଛନ୍ଦେ ଝୁମିଲାଣି ସିକ୍ତ ବନଭୂଇଁ
ସ୍ବାଗତ କଲେଣି ପେନ୍ଥା ପେନ୍ଥା ଫୁଲର ଚାଙ୍ଗୁଡି
ଆନନ୍ଦେ ବିଭୋର ପଶୁପକ୍ଷୀ ତରୁଲତା ଯେତେ
ନାଚିଲେଣି ଥିରିଥିରି ପ୍ରୀତିର ମଦିରା ଓଠେ
ପ୍ରେମସିକ୍ତ ମଧୁର ମୁରଲୀର ସ୍ବନେ ,
ସତେ କି କିଏ ସେ ସଜାଡି ରଖିଛି ଯଜ୍ଞବେଦୀ,
ବିଛେଇ ଦେଇଛି ମଧୁସିକ୍ତ ଫୁଲର ବିଛଣା
ଲେଖି ଦେଇଛି କିଏ ସତେ ନାଁ ଦୁଇଗୋଟି
ଗୋଟିଏ ତମର ଆଉ ଗୋଟିଏ ମୋ'ର
ଯୁଗ ଯୁଗ ପାଇଁ , କେଉଁ ଏକ ଅନନ୍ତ କାଳ ପାଇଁ
ଖାସ୍ ତମେ ଆସିବ ବୋଲି ।।
