ତିତଲି
ତିତଲି
ତୁମ ଭୟରେ ତିନି ଦିନ ହେଲା
ଅଛୁ ଖୁବ୍ ଶଙ୍କାକୁଳ ମନରେ
ଡରରେ ହେଲେ ବି
ଚାହିଁ ବସି ଥିଲୁ
ତୁମ ଅପେକ୍ଷାରେ ।
ଘରେ, ବାହାରେ, ଖବରରେ
ସବୁଠି ଚର୍ଚ୍ଚା
ତୁମ ଘନ କଳା ଆଖି ବିଷୟରେ ।
ତୁମ ଆଖି ଯେତିକି ସୁନ୍ଦର
ତା ଠାରୁ କୁଆଡେ ଭାରି ଭୟଙ୍କର।
ମାଡି ଆସିବ
ଅସ୍ତବ୍ୟସ୍ତ ବ୍ୟାକୁଳିତ ଆଉ ,
ଅସମ୍ଭାଳ କରିବ
ପ୍ରବଳ ପ୍ରତାପରେ
ଛୁଇଁ ଯିବ ମାଟିକୁ
ଖୁସିରେ ହେଉ ବା ରାଗରେ
ଆଲିଙ୍ଗନ କରିବ
ଇପ୍ସିତଙ୍କୁ ପ୍ରାଣ ଭରି
ଗଭୀର ଆବେଗରେ ।
କିନ୍ତୁ
ତୁମ ନାଁ ଯେମିତି ମନଲୋଭା
ତୁମେ ତା ଠାରୁ ଆହୁରି
ପ୍ରେମମୟୀ
ଭାରି ପୋଜେସିଭ
ଜମା ନେଗଟିଭ୍ ନୁହଁ
ସବୁ ସୁନ୍ଦରୀ ମାନେ
ଏମିତି
କାହା ମନରେ କଷ୍ଟ ଦେବାକୁ
ଆଦୌ ଭଲ ପାଆନ୍ତି ନାହିଁ କେବେ ।
ତୁମ ପ୍ରେମିକ ପ୍ରବର ସାଗର ବି
ତୁମକୁ ସ୍ଵାଗତ କରିବାକୁ
ଭାରି ତତ୍ପର ଭାରି ଅଶାନ୍ତ
ତୁମ ସହ ସେ ବି
ସ୍ଥଳଭାଗ ଛୁଇଁବାକୁ ବ୍ୟଗ୍ର
ତୁମେ ତ ଭାରି ଭାରି
ଭାରି ବୁଝିବାର ଝିଅ
କାହାକୁ ଦେଲ ଦୁଃଖ ଆଉ
ଯାତନାର ଅସୁମାରୀ କୋହ ।
ତିତଲି ଗୋ
ଭାଙ୍ଗି ଦେଲ ଘର, ଗଛ
ଉଜାଡିଲ ଶ୍ୟାମ ସବୁଜିମା
ବେହାଲ୍ କରିଦେଲ ଜନ ଜୀବନକୁ
ଅସଜଡା କରିଦେଲ ସବୁ
ସଜଡାକୁ
ଭାଙ୍ଗି ଦେଲ ବିଜୁଳି ଖୁଣ୍ଟ
ଚାରିଆଡ଼େ ଖାଲି ଅନ୍ଧାର
ଆଉ ଅନ୍ଧାର
ମେଞ୍ଚା ମେଞ୍ଚା ଶୁଭ୍ରତାରେ
ନେସିଦେଲ କାଳିମା
ଏମିତି ଯନ୍ତ୍ରଣା ଦେଲ
ଯାହା ପାଇଁ ତୁମେ କ୍ଷମାର
ଯୋଗ୍ୟ ନୁହଁ ଜମା ।
ତୁମେ ଫେରିଗଲ
ଖୁବ୍ ଭଲ କଲ
ତୁମ ପ୍ରୀତି ଝଲକରେ
ଦୋହଲାଇ ଦେଲ
ପିଞ୍ଜରା ହାଡ଼
ତୁମେ
ଅମର ହେଇଗଲ
ପ୍ରେମରେ ହେଉ ବା ଘୃଣାରେ
ନୂଆ ପୃଷ୍ଠା ଟିଏ ଯୋଡି ଦେଲ
ସବୁ କାଳକୁ
ଇତିହାସ ପୃଷ୍ଠାରେ ।
ବାୟ ବାୟ ତିତଲି
ଶୁଭ ବିଦାୟ ତୁମକୁ ।
ଅରୁଣା କର
11:10 :18
ଭୁବନେଶ୍ବର
