STORYMIRROR

Chittaranjan Parida

Others

3  

Chittaranjan Parida

Others

ତିନି ମାଙ୍କଡ଼

ତିନି ମାଙ୍କଡ଼

1 min
11.8K

ମୋର କେଉଁଠି ଭୁଲ୍ ରହିଲା ଜାଣିପାରୁନି

ତୁମ କଥାକୁ ଅକ୍ଷରେ ଅକ୍ଷରେ ପାଳୁଛି

ତୁମେ କହିଥିଲ ଆଖି ଖୋଲିଲେ

 "ମୋ ବ୍ୟତୀତ ଅନ୍ୟକୁ ଦେଖିବନାହିଁ"।

କଥା ମାନିଛି,ଦିବା ନିଶି ଜାଗରଣେ

କେବଳ ତୁମକୁ ହିଁ ଦେଖୁଛି,

ନିର୍ଜନରେ ବସି ଭସାବାଦଲକୁ ଚାହିଁଲେ

    ତୁମ ଛବି ଦେଖାଯାଏ

    ଭୂ ରୁ ଭୂମା ପର୍ଯ୍ୟନ୍ତ

ସବୁଠି ଖାଲି ତୁମେ ଆଉ ତୁମେ

ଉଭେଇ ଗଲେ ଆଖି ମୋର ଆପେ ମୋଦିଯାଏ।

ତୁମେ କହିଥିଲ ତୁମକଥା ସଦା ଗୁଣିବାକୁ

ତୁମ ଗୀତ ସଦା ଗାଇବାକୁ

ମାନିଛି, ମୁହଁ ଖୋଲିଲେ

ତୁମ ନାମ ବାହାରିଆସେ

ଗୁଣୁଗୁଣୁ ହୋଇ ତୁମକୁ ଗାଉଥାଏ

ଯାହାକୁ କିଛିବି କହେ

କେବଳ ତୁମରି କଥା ହିଁ କହେ

ତା'ବାଦ୍ ପାଟି ମୋର ତୁନିରହେ ।

ତୁମେ କହିଥିଲ, ତୁମକଥା ସଦା ଶୁଣିବାକୁ

ଶୁଣୁଛି, କେହି ଯଦି ତୁମ ଗାଥା କହେ

ଦେହରେ ଶତହସ୍ତୀର ବଳ ଯାଗେ

ବ୍ୟତିରେକ, କର୍ଣ୍ଣ ମୋର ଆପେଆପେ 

ହୋଇଥାଏ ବଧିର ।

କାହିଁ କେତେକାଳରୁ ତୁମ

    ସତ୍-ରୂପ ଦେଖୁଛି

    ସଦ୍-ଗୁଣ ଗାଉଛି

    ସଦ୍-ଗାଥା ଶୁଣୁଛି

ତୁମେ କାହିଁକି ଆସୁନ

ପ୍ରତୀକ୍ଷା, ଯନ୍ତ୍ରଣା ଦେଉଛି

କେତେଦିନ ଏମିତି ରହିଥିବି

ଗାନ୍ଧୀଙ୍କ 'ତିନି ମାଙ୍କଡ଼'ସାଜି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍