ଥରେ ଶୁଣ ଡାକ
ଥରେ ଶୁଣ ଡାକ
ଥର ଥର ହାତେ କେରେ ପ୍ରଣତି,
ଥରେ ଶୁଣ ଡାକ କମଳା ପତି।
ଥରେ ଡାକି ଦେଲା ଯେବେ ପାଞ୍ଚାଳୀ,
ଥର ଥର କୋଟି ବସନ ଢାଳି।
ଥିଲ ରଖି ତାର ଲାଜ ଯେ,
ଥରେ ମୋ ଗୁହାରି ଶୁଣ ବନମାଳୀ
ଥାଉ କଥା ଯୁଗ ଯୁଗ ଯେ।।
ଥାଳ ତୋଳି କରେ ମାଗେ ମାଗୁଣି
ଥରେ ଢାଳି ଦିଅ କରୁଣା ମୁଣି
ଥିବା ଯାଏ ପ୍ରାଣ ଥାଉ କରୁଣା
ଥକା ଥକା ମନ ଶୁନା ତୋ ବିନା
ଥାଉ କୃପା ଦୟାମୟ ଯେ
ଥିବ ଯଦି ମାତ୍ର କରୁଣା କିଞ୍ଚିତ
ଥିବ ମୋ ପ୍ରାଣେ ଅଭୟ ଯେ।।
ଥୁଳା ଥୁଳା ମଲ୍ଲୀ ମେଞ୍ଚେ ମାଳତୀ
ଥୋଇ ଚମ୍ପକ କେତକୀ ସେବତୀ
ଥର ଥର ହାତେ ଗୁନ୍ଥିଛି ହାର
ଥରେ ଳମ୍ବେଇବି ଗଳାରେ ତୋର
ଥାଳ ସଜେଇ ଧରିଛି ଯେ
ଥିଲେ ତିଳେ ଦୟା ଅକିଞ୍ଚନେ ସାହା
ଥରେ ତୋଳି ନିଅ ଆସି ଯେ।।
ଥାକ ଥାକ ପୋଥି ଉଇ ଖାଉଛି
ଥକା ଥକା ଆଖି ନପାରେ ଦେଖି
ଥିବା ଯାଏ ପିଣ୍ଡେ ପ୍ରାଣ ପବନ
ଥାଅ ବିରାଜି ମୋ ହୃଦେ ମୋହନ
ଥିଲେ ଥିବି ଗଲେ ଯିବି ଯେ
ଥରେ ଅପଘନ ଆହେ ଘନଶ୍ୟାମ
ଥରେ ଶ୍ରୀପାଦ ଛୁଇଁବି ଯେ।।
ଥିଲେ ପରିଜନ ଥିଲା ବୟସ
ଥିଲାନାହିଁ ଏକା ଭକ୍ତି ପ୍ରୟାସ
ଥରିଲାଣି ହାତ ଆସରା ବାଡ଼ି
ଥରେ ପାଦ ବେନି ନପାରେ ଚାଲି
ଥକିଲାଣି ଦେହ ମନ ଯେ
ଥରେ ନିଅ ତୋଳି ରାମ ବନମାଳୀ
ଥାଉ ତୋ କୃପାଳୁ ପଣ ଯେ
