STORYMIRROR

Kulamani Sarangi

Others

3  

Kulamani Sarangi

Others

ଥିଲ ଜଣେ ଆଈ ବୁଢୀ

ଥିଲ ଜଣେ ଆଈ ବୁଢୀ

1 min
253


(ପଲ୍ଲୀ କବିତା)

-------------------


ସତେଇ ହେଇ ସେ ଖତେଇ ହୁଏ, ତା

ନିଜ ଘର ଭେଣ୍ଡି ସୁନା,

ଗୋଦର ଗୋଡରେ ପାଉଁଜି ନାଇଚି

ଗୋଡକୁ ଟିକିଏ ଅନା।


କହି ଦେଉଥାଏ ପରକୁ ସିନା ସେ

ନିଜ ବୁଦ୍ଧି ଘରେ ତାଲା,

ହଜମ ହୁଏନି ପଖାଳ ଗଣ୍ଡାକ

ଚୁଗୁଲି ଯେବେ ନହେଲା।


ଖରାକୁ ଦେଖେଇ ଧୁସୁରା ପିଠିକି

ସାଇମୁଣ୍ଡେ ବସେ ଆଈ,

କାହା ଘରେ କେତେ ସୋରିଷ ଫୁଟିଲା

ହିସାବରେ ତାର ଥାଇ।


ଚମ ଧୁଡୁଧୁଡୁ, ଯମ ବସିଲାଣି

ଦୁଆର ପିଣ୍ଡାରେ ଆସି,

ଜୀରାରୁ ଶିରାକୁ କାଢୁଥାଏ ଆଈ

ଛେଳିକି କହେ ସେ ଖାସି।


ମୁତୁରି କାଠିରେ ମାଜୁଥାଏ ପାଟି

ତହିଁରେ ଶଗଡ ଗୁଳା,

ନଈ ତୁଠରେ ତ ହୁଏ ଦି'ପହର

ଲାଗିଲେ ଚୁଗୁଲି ମେଳା।


କା'ବୋହୂ କେତେ ପୁଆଣି ଆଣିଚି

କା'ଝୁଅ ହେଲା ଛାଡୁରୀ,

କିଏସେ ବକଟେ ନାତିପେଇଁ ଝୁରେ

ନଈତୁଠେ କରେ ହୁରି।


ବୋହୂ ହେଇ ଯେବେ ଆସିଥିଲା ସିଏ

ମୁଣ୍ଡେ ବାଜିଥିଲା ଚାଳ,

ଆଠ ଦିନଠେଇଁ ସାପ କାମୁଡାରେ

ଘଇତାର ହେଲା କାଳ।


ସେଇ ଦିନ ଠାରୁ ଏଘର ମାଉସୀ

ସେଘର ପିଇସୀ ହେଇ,

ସେ ଦିନର ଦେଈ,ହେଲା ଆଜି ଆଈ

ପ୍ରକୃତି ଛାଡିଲା ନାହିଁ।


ମଣିଷ ପ୍ରକୃତି ମଲେ ସିନା ତୁଟେ

ଘୁଷୁରୀର ପଙ୍କେ ଲୋଟେ,

ପଲେଇ ଝୁଅକୁ ଝୁଅ କରିଥିଲା

ବୁଢୀକି ମାରିଲା ପଟେ।


କହରାମୁଣ୍ଡିଆ ଚୁଟି ଠିଆ ଠିଆ,

କଲକତିଆ ଶଅର,

ପଲେଇ ଝୁଅକୁ ଉଡେଇ ନେଇଚି

ଆର ହପ୍ତା ବୁଧୁବାର।


××××××× ×××××××


ସକାଳୁ ସକାଳୁ ଖବର ଆସିଲା

ଆଈ କାଲି ଚାଲିଗଲା,

ଅଜାଣତେ ଆଖି ଜକେଇ ଆସିଲା,

ଏକ ଉପନ୍ୟାସ ପୋଡିଗଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍