STORYMIRROR

Jagannath Barik

Others

4  

Jagannath Barik

Others

ସୂର୍ଯ୍ୟ କିରଣ

ସୂର୍ଯ୍ୟ କିରଣ

1 min
499

ପ୍ରତି ପଦର ଆଦ୍ୟ କିମ୍ବା ପ୍ରାନ୍ତ ବର୍ଣ୍ଣକୁ ତଳକୁ ତଳ ଯୋଗ କଲେ "ଆସିଲା ଶୀତ "ଆସିଲା ଶୀତ ହେବ |

-----------------------

ଆସିଲା ଶୀତ ଆସିଲା ଶୀତ ବହିଲା ଶୀତ ବାଆ  

ଆତପ ତାପ ହୋଇଲା ହ୍ରାସ କୋମଳ ମଧୁରିଆ | ଆ 

ଶୀତ ସନ୍ତାପ ବେଳକୁ ବେଳ ହୋଇଲା ଗରୀୟସୀ 

ଶୀତର ଡରେ ତପନ ଗଲେ ଅନଳ କୋଣେ ଖସି || ସି 

ଲାବଣ୍ୟମୟୀ ହିମ ଅଚଳ ଶୀକର ସିକ୍ତ ଝୁଲା 

ଲାସ୍ୟମୟିନୀ ପ୍ରକୃତି ରାଣୀ ଯହିଁ ଵିହରେ ଖୋଲା | ଲା 

ଶୀତ ସେ ଦେଶୁଁ ଆଣିଲା ବହି ପ୍ରବଳ ଶୈତ୍ୟରାଶି 

ଶୀତଳ କରେ ପରଷି ଦେଲା ତୁହାକୁ ତୁହା ଆସି | ଶୀ 

ତରୁ ଲତିକା ପତ୍ର ଝାଡିକା ନୋହିଲେ ପଲ୍ଲବିତ 

ତରୁଣୀ ଉଷା କାନ୍ତି ସରସା ହୋଇ ଶିଶିର ସ୍ନାତ | ତ 


  ଆଖୁଗଛର ଫୁଟିଲା ଶର ହୋଇଲା ପାକଳିଆ 

  ଆହା କି ସୁନା ସୋରିଷ ଫୁଲେ ଧରଣୀ ହଳଦିଆ | ଆ 

  ଶୀତ ପରଶେ ପାଚିଲା ଧାନ କନକକାନ୍ତି ଦିଶି 

  ଶୀତଳ ବାତେ ସୁନା ଢେ଼ଉକି ଖେଳଇ ରାଶି ରାଶି | ସି 

  ଲାଗିଲା କାମେ କୃଷକ ଭାଇ ଫସଲ ଡେରିଦେଲା 

  ଲାଘବ ହେଲା ଅଭାବ ଦୁଃଖ କଷଣ ହଟିଗଲା |  ଲା 

  ଶୀତ ଅମଳ ପନିପରିବା ଧରିଲା ଫୁଲ କସି 

  ଶିରୀ ସମ୍ପଦେ ହସିଲା ମହୀ ଶସ୍ୟଦଳରେ ଲସି | ଶୀ 

  ତରାଟ ହେନା ମାଳତି ଗେଣ୍ଡୁ ହୋଇଲେ ବିକଶିତ 

  ତମାଳ ଚୁତ କେତକୀ ମଲ୍ଲୀ ଦିଶିଲେ ସୁଶୋଭିତ | ତ 


ଆଣିଲା ମଜା ମାଘ ପଞ୍ଚମୀ ମକର ଧନୁ ମୁଁଆ 

ଆହା କି ସୁଖ ପୁଷପୁନେଇ ନାଚ କି ମନ ଛୁଁଆ |   ଆ 

ଶୀତନିଦ୍ରାରେ ଶୋଇଲେ ଭେକେ ଉରଗେ ଗର୍ତ୍ତେ ପଶି 

ଶିବରାତ୍ରିର ମହାଜାଗର ଜାଳିଲେ ନରେ ବସି |   ସି 

ଲାଭଦାୟକ କାମୀ କାମୁକ ଅନଙ୍ଗ ପୀଡ଼ାଗଲା 

ଲାଘବ ତା'ଙ୍କ ଶୀତର ତାପ ଦାମ୍ପତ୍ୟରାସ ଖୋଲା |  ଲା  

ଶୀତ ସତତ ଦାରୁଣ ସତ ସାଧଇ ହିତ ବେଶୀ 

ଶୀତ ନଥିଲେ ରବି ଫସଲ କାହୁଁ ମିଳନ୍ତା ଆସି |   ଶୀ 

ତମସା ବଢ଼ି ଦିବସ ଛିଡ଼ି କରଇ ଉପକୃତ 

ତହିଁ ପାଇଁକି ହୁଅନ୍ତି ଲକ୍ଷ୍ମୀ ମହୀରେ ଉପଗତ |   ତ 



Rate this content
Log in