ସତେ କି ଈଶ୍ଵର ଶୁଣିବ ଡାକ
ସତେ କି ଈଶ୍ଵର ଶୁଣିବ ଡାକ
ତୋ ପଦେ ଗଲି ଶରଣ ହେ ଚକା ଆଖି କଳା ବାମନ
କାହାକୁ କହିବି ଆଉ କିଏ ଅଛି ଶୁଣିବ ବା ମୋର କଦନ ।।
ମୁଁ ଛାର ମାନବ ତୁମେ ଗୋସାଇଁ
ତୁମେ କଳ୍ପତରୁ ମୁଁ ଖୋଜେ ଛାଇ
ଏ ଘୋର ଜଞ୍ଜାଳ ନିଦାଘ ଦାଉରେ
ଜଳି ପୋଡ଼ି ଯାଏ ପ୍ରାଣ ହେ ,ତୋ ପଦେ ଗଲି ଶରଣ…।।
ଅଖିଳ ବ୍ରହ୍ମାଣ୍ଡ ଯାର ଉଦର
ନଗନ୍ୟ ଜୀବନ ତହିଁ ମୋହର
ସହା ରାହା ତୁମ ବିନା ଜଗନ୍ନାଥ
କହ କାହିଁ ପରିତ୍ରାଣ ହେ , ତୋ ପଦେ ଗଲି ଶରଣ...।।
ଅନନ୍ତ, ଅରୂପ ଯେ ନିରାକାର
କେମନ୍ତେ ଚିନ୍ତିବି ରୂପ ଢାହାର
ପାପ ଚକ୍ଷୁରେ ମୁଁ ସତେ କି ଦେଖିବି
ଦିଅ ଦିଅ ଦିବ୍ୟଜ୍ଞାନ ହେ , ତୋ ପଦେ ଗଲି ଶରଣ...।।
ତ୍ରଇଲୋକ୍ୟ ନାଥ ବୈକୁଣ୍ଠ ପତି
ଭବ ବନ୍ଧନେ ମୁଁ ହୁଅଇ ଘାଣ୍ଟି
ସତେ କି ଏ ପ୍ରାଣ କରିବ କାରଣ
ଦୁଃଖ କରି ନିବାରଣ ହେ , ତୋ ପଦେ ଗଲି ଶରଣ….।।
ଆକୁଳେ ପ୍ରଫୁଲ୍ଲ ଆରତ ସୁରେ
ଦିବା,ରାତି ମଗ୍ନ ତୋ ଭଜନରେ
ସତେ କି ଈଶ୍ଵର ଶୁଣିବ ମୋ ଡାକ
ମୋ ନର ଜନ୍ମ ହେବ ଧନ୍ୟ ହେ , ତୋ ପଦେ ଗଲି ଶରଣ…।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
