STORYMIRROR

Kulamani Sarangi

Others

3  

Kulamani Sarangi

Others

ସ୍ରଷ୍ଟା

ସ୍ରଷ୍ଟା

1 min
14.1K



ସୀମିତ ଚିନ୍ତନ ସୀମାରେଖା ଡେଇଁ

ଯାଇ ପାରିନାହିଁ ବୋଲି,

ସେହି ବଳୟରେ ତୁମ୍ଭକୁ ଦେଖିଛି,

ମନ୍ଦିର ଭିତରେ ଖାଲି।


ଧୂପ ଚନ୍ଦନର ଗଂଧ ମୁଁ ପାଇଛି,

ଖାଲି ମନ୍ଦିର ବେଢାରେ,

ସାରା ବିଶ୍ଵ ପରା ସୁଗନ୍ଧିତକର,

ଅପୂର୍ବ ସୃଷ୍ଟି ସମ୍ଭାରେ !!


ଅଛ ଯେବେ ତୁମ୍ଭେ ସବୁଠାରେ ପୁରି

କି ଲୋଡା ଯିବା ମନ୍ଦିର?

ମାଟିରେ ବାଲିରେ ସବୁଜ କେଦାରେ

ତୁମ୍ଭର ତ ହସ୍ତାକ୍ଷର ।


ତୁମ୍ଭ ସତ୍ତା ପରା ବ୍ୟାଘ୍ର,ହସ୍ତୀ,ଗାଭୀ

ଦେହେ,କୀଟ ପତଙ୍ଗରେ,

ବାଲି ହରିଣରେ,ଛୋଟଠାରୁ ବଡ

ଜଳ,ସ୍ଥଳ ଜନ୍ତୁ ଠାରେ।


ଦୁବ ଘାସରେ ବି ରହିଅଛ ତୁମେ

ରହିଛ ବିଶାଳ ଦ୍ରୁମେ,

ଫୁଲରେ ରହିଛ,ପତ୍ରରେ ବି ଅଛ,

କୃମିରେ ଆବର କୂର୍ମେ।


ରହିଅଛ ମହାଆକାଶ ଶବ୍ଦରେ,

ଉଲ୍କାରେ,ନୀହାରିକାରେ,

ଆଲୋକ ପଥରେ,ଆଲୋକ ବର୍ଷରେ

ସବୁ ଅଲୌକିକତାରେ।


ଯେ ଧୂଳିରେ ତୁମ୍ଭ ସତ୍ତା,ସେ ଧୂଳିର

ମୁହିଁ ମାତ୍ର କଣିକାଏ,

ତୁମ୍ଭେ ମୁଁ ଯେବେ ଏକ,ମତେ ଏତେ

ଅହମିକା ଦେଲା କିଏ !!


କିଏ ଦେଲା ଏତେ ପ୍ରଚଣ୍ଡ ଅସୂୟା

ଧ୍ୱଂସ ମନୋବୃତ୍ତି ମୋତେ ?

ତୁମ୍ଭେ ଯଦି ଦେଇନାହିଁ, କିଏ ଦେଲା

ପରମାଣୁ ମୋର ହାତେ ?


କ୍ଷୁଦ୍ର ଜ୍ଞାନ ଧରି ତୁମ୍ଭକୁ ଅବଜ୍ଞା

କରିବା ଧୃଷ୍ଟତା ଦେଲା,

ନିଜ ହଳାହଳ ନିଜେ ପିଇବାକୁ

କିଏ ମତେ ବତାଇଲା ?


ତୁମ୍ଭେ ତ ପ୍ରକୃତି,ତୁମ୍ଭେ ବି ପୁରୁଷ

ତୁମ୍ଭେ ସୃଷ୍ଟି ତୁମ୍ଭେ ସ୍ରଷ୍ଟା,

ତୁମ୍ଭେ ମହାଜ୍ଞାନ ତୁମ୍ଭେ ହିଁ ଅଜ୍ଞାନ

ତୁମ୍ଭେ ଦୃଷ୍ଟି ତୁମ୍ଭେ ଦ୍ରଷ୍ଟା।


ତୁମ୍ଭେ ନାହଁ ବୋଲି ଯେ କହେ ତାହାର

ନିଜର ଅସ୍ତିତ୍ଵ କାହିଁ ?

ତୁମ୍ଭେ ଦୃଶ୍ୟ ତୁମ୍ଭେ ଅଦୃଶ୍ୟ ତାସଙ୍ଗେ,

ସେକଥା ସେ ଜାଣେ ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍