STORYMIRROR

Kulamani Sarangi

Others

2  

Kulamani Sarangi

Others

ସରଳ ବିଶ୍ଵାସ

ସରଳ ବିଶ୍ଵାସ

1 min
5.7K


ପଲ୍ଲୀ କବିତା 53


ସରଳ ବିଶ୍ଵାସ

---------------

ଗୋରୁଙ୍କୁ ଧରିଚି ଫାଟୁଆ ରୋଗଲୋ,

କୋପେଇଚି ଠାକୁରାଣୀ,

ବଜାର ସଉଦା କରୁଚି ମୋ ବୁଢୀ,

ଦବ ସଞ୍ଜ-ପଣାପାଣି।


ଠାକୁରାଣୀ ହେଲେ ଗୋରୁଙ୍କୁ ଏ ସନ,

କହିଚି ଜାନୀ ବଇଁଶି,

" ଗାଁ ଦୋ'ବାଟିରେ ପଣାପାଣି ଦେଲେ,

ଠାକୁରାଣୀ ହବ ଖୁସି।


ନୂଆ ଆଟିକାରେ ଅରୁଆ ଭାତକୁ

ଆଇଁଷ, ଶାଗ, ତୁଉଣ,

ସଞ୍ଜବେଳେ ନେଇ ଆଟିକା ଥୋଇବୁ

ତୋଷିବାକୁ ଚଣ୍ଡୀ ମନ।


ତା'ସାଙ୍ଗକୁ ଥିବ ଘିଅ ସିନ୍ଦୁର ଲୋ

ଧୂପ,ଦୀପ ଛେନାପଣା,

ଗାଈପଘା,ଗୋରୁ ପାଞ୍ଚଣ ରଖିବୁ,

ହେବ ପୂଜା-ଅରଚନା।


'ହ୍ରିଂ କ୍ରିଂ ମା ବାଶେଳୀ ଲୋ ମୋର

ଗୋରୁପଲ ରଖ କହି,

ନେଉଟି ଆସିବୁ ଆଟିକାକୁ ଥୋଇ,

ପଛକୁ ଥରେ ନଚାହିଁ।


ସକାଳୁ ଦେଖିବୁ ଆଟିକାରେ ଯେବେ

ପଣା ସେଇମିତି ଥିବ,

ଜାଣିବୁ ମାଆର କୋପ କମିନେଇଁ

ଗୋରୁ ରୋଗ ନେଉଟିବ।


ଆଟିକାରେ ପଣା ନଥିଲେ ଜାଣିବୁ

ମାଆ ହେଇଚି ସନ୍ତୋଷ,

ଗୋରୁଙ୍କ ଫାଟୁଆ ରୋଗ ନିକ ହବ,

ପାଇ ବାଶେଳୀ ଆଦେଶ।"


ବୁଧେଇ ଛଡାଟା କାଲି ମଲାବେଳୁ

ବୁଢୀମନ ଛଟପଟ,

ରୋଷେଇ ନକରି ହାଟୁକୁ ଯାଇଚି,

ଭୋକରେ ଜଳେ ମୋ ପେଟ।


ଶୁକୁଆ ପୋଡାକୁ ପିଆଜ ରସୁଣ

ବାଇଗଣପୋଡା ମେଳ,

ନଙ୍କା ମନ୍ଥିଦେଇ ଖାଇବି ଯାଉଚି

କାଲିର ବାସିପଖାଳ।


ବୁଢୀପେଇଁ ଯୋଡେ ବାସିପଖାଳରୁ

ରଖିଥିବି ଦହି ମାରି,

ରଖିଥିବି ଫାଳେ ବାଇଗଣ ପୋଡା

ଖାଇବ ହାଟୁରୁ ଫେରି।


ଚଣ୍ଡୀଚାମୁଣ୍ଡାଙ୍କୁ,ମା'ପାଟଚଣ୍ଡୀଙ୍କୁ

କୋଟି କୋଟି ଦଣ୍ଡବତ,

ଘଣ୍ଟ ଘୋଡେଇ ମୋ ଗୋରୁଗାଈଙ୍କୁ ଲୋ

ରଖିବୁ ଜଗତ ମାତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍