ସରକାରୀ ବାବୁ
ସରକାରୀ ବାବୁ
ସରକାରୀ ବଡ ଅଫିସର ମୁଁହି
ମିଳଇ ଉପୁରି ଟଙ୍କା
ମନଟି ଥିଲା ମୋ ଫୁଲା ଓ ଫାଙ୍କିଆ
ନଥିଲା ତ ଏତେ ଚିନ୍ତା !!
ସପ୍ତାହର ଶେଷେ ଛୁଟି ମିଳେ ଯେବେ
ଘରକୁ ଆସଇ ବୁଲି
ପୁଅ ଝିଅ ଆଉ ଝିଆରୀ ପୁତୁରା
ସଭିଏଁ ଯାନ୍ତି ବେଢ଼ି !!
ମୋ ଗାଁ ର ସେହି ପହିଲି କିରଣ
ଦେଖିନାହିଁ କେବେ ଦିନେ
ରାତି ନ ପାଁହୁନୁ ବାହାରି ଆସଇ
ହାୱାଡା ଟ୍ରେନ ଧରେ !!
ମାସ ଶେଷ ଖାତା ଭରିବା ପୂର୍ବରୁ
ବରାତ ଲମ୍ବା ତାଲିକା
ସଭିଙ୍କର ଦାବି ପୁରା କରୁ କରୁ
ହୁଅଇ ପକେଟ ଫାଙ୍କା !!
ସ୍ନେହ ଶ୍ରଦ୍ଧା ଆଉ ଭଲ ପାଇବାର
ଥିଲି ମୁଁ ପୂଜାରୀ ହେଈ
ସ୍ୱାର୍ଥ ସରିଗଲେ କିଏ ବା ବୁଝୁଚି
ଧନହୀନ ଗଲେ ହେଇ !!
ଜୀବନ ଯାତ୍ରାରେ ସଂଗ୍ରାମ ପଥରେ
ହାର ଜିତ ର ଖେଳ
ସମୟ କହୁଛି ହାରି ତୁ ଯାଇଛୁ
ନିଜେ ନିଜଠୁ ଆଜି ତୁ ଦୂର !!
ଜୀବନେ ଦେଖିଚି ପୁଳା ପୁଳା ଟଙ୍କା
ଅଭାବ ଦେଖିନି କେବେ
ଆଜି ଆସି ମାଗେ ରାସନ ଦୋକାନୀ
ପଇସା ଦିଅ ହେ ବେଗେ !!
ଘର ଘର ବୋଲି ସର୍ବସ୍ବ ସାରିଲି
ଭିଟା ମାଟି ହେଲା ଦୂର
ଭଲ ଶିକ୍ଷା ଟିଏ ପାଇଲି ଜୀବନେ
କିଏ ନିଜଠୁ ଅବା ନିଜର !!
ଆତ୍ମୀୟ ଙ୍କ ପାଁଇ ଲଢ଼ିଛି କେତେ ମୁଁ
ତାଳ ରେ ତାଳ ମିଶେଇ
ଅବସର ପ୍ରାପ୍ତେ ଭଲ ଉପହାର
ସଭିଏଁ ଦେଲେ ମିଶେଇ !!
ସେ ଦିନ ନିଜର ଭାବୁଥିଲା ଯିଏ
ଦେଇନି ପ୍ରାଧାନ୍ୟ ତାକୁ
ଅବଶୋଷ ଜ୍ୱଳା ଲୁହର ପିଞ୍ଜରା
ବେଡି ଦେଇଛି ଛନ୍ଦି ପାଦକୁ
ବେଡି ଦେଇଛି ଛନ୍ଦି ପାଦକୁ !!