ସ୍ପର୍ଶ
ସ୍ପର୍ଶ


ନିରୋଳା ହୃଦୟେ କେବେ କେବେ କେହି
ଆସି ଛୁଇଁ ଦେଇ ଯାଏ
ନିଛାଟିଆ ମନ ଲାଗେ ବୃନ୍ଦାବନ
ଯେବେ ତାର ସ୍ପର୍ଶ ପାଏ ।
କେବେ ସେହି ସ୍ପର୍ଶ ସପନ ରୂପରେ
କେବେ ପୁଣି ବିଶାରଦ
କେବେ ଆସେ ସାଜି ଜୀବନ ଜୀବିକା
କେବେ କରେ ସ୍ୱପ୍ନବଦ୍ଧ ।
ପ୍ରତି ମୁହୂର୍ତ୍ତରେ ସ୍ପର୍ଶ ଯେ ଶିଖାଏ
ଜୀବନ ଜିଇଁବା କଳା
କେବେ ପ୍ରିୟା ପ୍ରୀତି କରେ କ୍ଷୀଣ ଶକ୍ତି
ହୃଦୟରେ କରି ହାଲ୍ଲା ।
ଜୀବନର ପଥ ନିଏ ନୂଆମୋଡ଼
ବଦଳାଇ ଚିନ୍ତାଧାରା
ଜୀବନ ଯୁଦ୍ଧରେ ହାରିବାର ସ୍ପର୍ଶ
ଅଦ୍ଭୁତ ଜିଜ୍ଞାସା ଧାରା ।
ଅସମ୍ଭବ ମଧ୍ୟ ସମ୍ଭବ ହୁଅଇ
ପାଇଲେ ପ୍ରଶଂସା ସ୍ପର୍ଶ
ମହାମାନବ ଯେ ରାକ୍ଷସ ସାଜଇ
ପାଇ ନଷ୍ଟ ପରିବେଶ ।
ସ୍ପର୍ଶ ବଦଳାଏ ଜୀବନର ଗତି
ବଦଳିଲେ ପରିସ୍ଥିତି
ଯୁକ୍ତତ୍ମକ ଭାବେ ସ୍ପର୍ଶର ଗ୍ରହଣ
ମସ୍ତିଷ୍କେ ଜ୍ଞାନର ପ୍ରାପ୍ତି ।।