ସଞ୍ଜ ବତୀ
ସଞ୍ଜ ବତୀ
ସକାଳୁ ସକାଳୁ ନିତି ଘର ଅଗଣା ହୁଏ ଛେରା ପହରା,
ଖାଲି ଆମ ଘରେ ନୁହେଁ , ସମସ୍ତଙ୍କ ଘରରେ ଆମ ଗାଁ ସାରା ।
ଉଠି ସଅଳ ସଅଳ, ଧରି ଦାନ୍ତ କାଠି ନୂଆ ବୋହୂ ଆମ
ଚାଙ୍ଗୁଡାରେ ଫୁଲ ଭରେ ମଲ୍ଲୀ, ମାଳତି ଓ ଅନେକ କୁସୁମ ।
ଫୁଲ ଚାଙ୍ଗୁଡା ଥୋଇ, ବଟା ହଳଦି ନେଇ ଯାଏ ସେ ଗାଧୋଇ,
ସାବୁନ ମାଖି ସ୍ନାନ ବେଳେ ଚୁଡି ବାଜିଲେ ଯାଏ ସେ ଲାଜେଇ ।
ଶୁଖାଇ ଓଦା ବସ୍ତ୍ର, ସୁଲକ୍ଷିଣୀ ଭରଇ ସୀମନ୍ତେ ସିନ୍ଦୁର,
ଧୂପ, ଦୀପ, ଅର୍ଘ୍ୟ ଦେଇ ଚଉରା ମୂଳରେ କରେ ନମସ୍କାର ।
ଗୋଧୂଳି ବେଳେ ସଳିତା ଲଗାଏ ବତୀରେ ଗୁଆଘିଅ ଦେଇ,
ନିତି ଜଲାଏ ସଞ୍ଜ ବତୀ ଚଉରା ମୂଳେ ହାତ ଗୋଡ ଧୋଇ ।
ଚାରି ଆଡେ ଅନ୍ଧାର ରାଜୁତି ସୁଲକ୍ଷିଣୀ ଚଉରା ମୂଳରେ
ଝଲସୁ ଥିଲା ବୋହୂ ର ଗୋରୀ ମୁହଁ ସଞ୍ଜବତୀ ଆଲୁଅରେ ।