ସନ୍ତାନ ଦିଅନ୍ତି ସ୍ୱପ୍ନ
ସନ୍ତାନ ଦିଅନ୍ତି ସ୍ୱପ୍ନ
ତୁମ ପରି ମୋର ପୁଅ ଥିଲା,
ଗେହ୍ଲା ସରଧାରେ ବଢିଥିଲା ।
ସେନେହରେ ତାକୁ,
କୋଳାଏ କାଖାଏ,
ମନ ଦେଇ ପାଠ ପଢୁଥିଲା ।।
ସୁନ୍ଦର ସୁଶୀଳ ଦେହ ତାର,
ରୂପରେ ନାହିଁ କେ ସରି ତାର ।
ଶ୍ରେଣୀରେ ପ୍ରଥମ,
ହୋଇ କରି ସିଏ,
ପାଇଗଲା ବୃତ୍ତି ପୁରସ୍କାର ।।
ଶ୍ରେଣୀରେ ପ୍ରଥମ ହେଉଥିଲା,
ଉପଦେଶ କେତେ ନେଉଥିଲା ।
ଖୋଇ ଦେଲେ ଖାଏ,
କୋଳରେ ମୋ ଶୁଏ,
ଯାହା ଇଛା କରେ ପାଉଥିଲା ।।
ଆଜି ମୋର ପୁଅ ବଡ଼ ହେଲା,
ମହାବିଦ୍ୟାଳୟେ ଯୋଗ ଦେଲା ।
ରୂପ ଗୁଣ ଦେଖି,
ଆଦରନ୍ତି ସବୁ,
ସୁନାମ କେତେ ସେ ପାଉଥିଲା ।।
ଏହା ଦେଖି ମୁଇଁ ହେଲି କାବା,
ଛାତି କୁଣ୍ଢେ ମୋଟ କରେ ଅବା ।
କାମ ଲାଗେ ନାହିଁ,
ପାଦ ମୋ ଉଡଇ,
ଆଉ କିଏ ମୋର ଅଛି ଅବା ।।
ସରକାରୀ ଚାକିରୀ ପୁଅ କଲା,
ମିଛ ସପନ ସେ ଦେଖାଇଲା ।
କୋଠା ଘର କଲା,
ମୋଟର କିଣିଲା,
ନ ଜଣାଇ ମୋତେ ବିଭା ହେଲା ।।
ବୟସ ମୋହର ବଢ଼ୁଥିଲା,
ଅଜଣା ରୋଗଟେ ଗ୍ରାସ କଲା ।
ବୋହୁ ଘୃଣା କରେ,
ହାତେ ନାକ ଟେକି,
କୁହେ ବୁଢ଼ୀ ଆମ କଣ୍ଟା ହେଲା ।।
ପୁଅ ବୋହୂ ଦୁହେଁ ମିଶି ଗଲେ,
କେତେ ଫୁଟୁ ଫାଟ ହେଉଥିଲେ ।
ଅଜଣାତେ ମୋତେ,
ତୀର୍ଥ ଯିବା କହି,
ବୃଦ୍ଧାଶ୍ରମେ ନେଇ ଛାଡି ଦେଲେ ।।
ସପନ ଦିଅନ୍ତି ସବୁ ମିଛେ ,
ଧାଇଁ ଥାନ୍ତି ସବୁ ସ୍ୱାର୍ଥ ପଛେ ।
କେତେ ଅଳି ସହି,
ବଢ଼ାଇ ପୁଅକୁ,
ଯମ କିଆଁ ଲୁଚୁ ମିଛେ ମିଛେ ।।
ଆଜି ପାଞ୍ଚ ବର୍ଷ ବିତି ଗଲା,
ସତରେ ମୋ ପୁଅ ଭୁଲି ଗଲା ।
ନାତି କି ନାତୁଣୀ,
ହୋଇଥିବ ପୁଣି,
ବ୍ୟାକୁଳ ମନ ମୋ ଖୋଜୁଥିଲା ।।
ଆଜି ପୁଅ ମୋର ଆସି ଅଛି,
ଜୌତିଶ କଣ ବା କହି ଅଛି ।
ମାତୃ ସେବା କଲେ,
ସନ୍ତାନ ପାଇବୁ,
ଏମିତି କହିସେ କାନ୍ଧୁ ଅଛି ।।
ମହେଶ୍ଵର ସାହୁ
ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,
ବାଲେଶ୍ୱର(ଭଦ୍ରକ)
