ସଂଶୋଧନର ବାଟ
ସଂଶୋଧନର ବାଟ
ମଣିଷ ମାତ୍ରକେ ଭୁଲ୍ ରହିଥାଏ
ଏ କଥାଟି ସମସ୍ତେ ଅଛୁ ଜାଣି,
ଅସଲ ମଣିଷ ଅଟଇଟି ସିଏ
ସୁଧାରି ନିଏ ଯେ ଭୁଲ୍ ସେକ୍ଷଣି ।। ୧
ଆଗ ପଛ କରି ଦୁଇ ଗୋଟି ଭାର
ବହିଥାଉ ଆମେ ନିଜ କାନ୍ଧରେ,
ଆଗ ଭାରେ ରଖି ଅନ୍ୟର ଦୋଷକୁ
ଦର୍ଶାଇ ଥାଉ ଅତି ଆନନ୍ଦରେ ।। ୨
ନିଜ ଦୋଷ ସବୁ ପଛ ଭାରେ ଥୋଇ
ଦୃଷ୍ଟି ଆଢ଼ୁଆଳେ ସର୍ବଦା ରଖୁ,
ଅନ୍ୟ କେହି ଯଦି ଦେଖାଇ ଦିଅଇ
ଅସହ୍ୟ ଦୃଷ୍ଟିରେ ତାକୁ ନିରେଖୁ ।। ୩
ଭୁଲି ଯାଇ ଥାଉ ନିଜର ଭୁଲ୍ କୁ
ସାହସ କରି ଯେ ଦର୍ଶାଇ ଥାଏ,
ସିଏ ହିଁ ନିଜର ହିତ ଚାହୁଁ ଅଛି
ଏ କଥା କେବେ ବି ଦ୍ବିମତ ନୁହେଁ ।। ୪
ନିଜ ଲୋକ ସଦା ସୁଧାରି ଦିଅନ୍ତି
ଆମ ଦ୍ଵାରା ହୋଇଥିବା ଭୁଲ୍ କୁ,
ତେଣୁ ତାଙ୍କ କଥା ମନରେ ନ ଧରି
ସୁଧାରି ନେବା ହେ ନିଜେ ନିଜକୁ ।। ୫
ଭୁଲ୍ କରି ଯେବେ ସଂଶୋଧନ ପାଇଁ
କୁଣ୍ଠିତ ହୋଇବା ଆହ° ସ୍ୱଭାବେ,
ଭୁଲ୍ ବୋଲି ପ୍ରମାଣିତ ହୋଇ ଯିବା
ଠିକ୍ ବାଟ ଦେଖା ଯିବନି କେବେ ।। ୬
ଭୁଲ୍ ଠିକ୍ ର ଏ ସଂସାର ଭିତରେ
ସଂଶୋଧନ ବାଟ ଅନେକ ଅଛି,
ନିଜକୁ ସୁଧାରି ଆଗେଇଲେ ବାଟ
ଅସୁବିଧା ଆଉ ନଥିବ କିଛି ।। ୭
