ସଂସାର_______
ସଂସାର_______
1 min
221
କେଉଁଠାରେ ଶୁଭେ
ରାମ ନାମ ସତ୍ୟ
କେଉଁଠାରେ ସାହାନାଇ।
କେଉଁଠି ଜଳଇ
ଅନ୍ତୁଡି ନିଆଁ ତ
କେଉଁଠାରେ ଜଳେ ଜୁଇ।
କାହା ଅଙ୍ଗେ ଶୋଭେ
ପାଟ ପିତାମ୍ବରୀ
କାହା ଅଙ୍ଗେ ଛିନ୍ନ ବାସ।
କାହାକୁ ମିଳଇ
ରାଜଭୋଗ ଏଠି
କିଏ ରହେ ଉପବାସ।
କିଏ ନିଜ ଲୁହ
ଲହୁ ଭଳି ପିଇ
ଏ ଦୁନିଆକୁ ହସାଏ।
କୁବଚନ କହି
ମରମ ବେଦିରେ
କିଏ ଅନଳ ଲଗାଏ।
ଅଳପେ ତୃପତି
ଲଭି କିଏ ଏଠି
ଧରାକୁ କରେ ସରଗ।
କାମନାର ବାଣ
ତୂଣୀରରେ ଭରି
କିଏ ଖୋଜେ ମାୟା ମୃଗ।
କିଏ ପିଟେ ନିଜେ
ନିଜର ଡିଣ୍ଡିମ
ମନେ ଅହଙ୍କାର ଭରି।
ଭୁଲିଯାଏ ସିଏ
ଛ'ଖଣ୍ଡ ବାଉଁଶ
ସଭିଙ୍କ ଶେଷ ସବାରି।
ନିରବେ ନିସ୍ପନ୍ଦେ
କାଳର ଲହରୀ
ସବୁକିଛି ଧୋଇନିଏ।
ତଥାପି ଆଗକୁ
ଚାଲିବାକୁ ହେବ
ସଂସାରର ଗତି ଇଏ।
