ସଂସାର ବନ୍ଧନ
ସଂସାର ବନ୍ଧନ
ତ୍ରିଗୁଣ ରଜ୍ଜୁରେ ବନ୍ଧା ହୋଇ ଜୀବ
ସଂସାର ବନ୍ଧନେ ରହି
ସକଳ କରମ କରୁଛି ସର୍ବଦା
ଫଳ ଲାଭ ଆଶା ନେଇ ।
ବଦ୍ଧ ଜୀବ ଗୋଟି ଉପାୟ ପାଏନା
କାଟି ସଂସାର ବନ୍ଧନ
କିପରି ସମ୍ମୁଖ ହେବ ହରିଙ୍କର
କିପରି ଲଭିବ ଜ୍ଞାନ ।
କାମ କ୍ରୋଧ ଲୋଭ ଏହି ତିନି ସିନା
ସଂସାର ବନ୍ଧନେ ବାନ୍ଧେ
ଏ ତିନିକୁ କାଟି ସଂସାରେ ସାଧକ
ନିଜର ସାଧନା ସାଧେ ।
ସଂସାର ବନ୍ଧନ ଅତ୍ୟନ୍ତ କଠିନ
ଫିଟିବା ବଡ ଦୁରୂହ
ତୀବ୍ର ଉତ୍କଣ୍ଠିତ ହରି ପଦ ପ୍ରାପ୍ତି
ପାଇଁ ବଢିଲେ ଉତ୍ସାହ ।
ଭଗବାନ ନିଜେ ଆଗଭର ହୋଇ
ଗୁରୁଙ୍କୁ ପାଶେ ପଠାନ୍ତି
ଗୁରୁଙ୍କ ଆଶ୍ରିତ ହୋଇଲେ ସୁଶିଷ୍ୟ
କଟେ ଭବ ବନ୍ଧ ଭୀତି ।
ଗୁରୁଙ୍କ ହୃଦରେ ବସନ୍ତି ଗୋବିନ୍ଦ
ସନ୍ଦେହ ନାହିଁ ଏଥିରେ
ଗୁରୁ ପଦେ ରତି ସୁଶିଷ୍ୟ କରିଲେ
ବନ୍ଧନ କଟେ ଅଚିରେ ।
ସଂସାର ବନ୍ଧନ ନିଶ୍ଚେ ହୁଏ ଦୂର
କରି ଗୁରୁ ପଦ ସେବା
ଅଭୟ ପଦରେ ଶରଣ ପଶିଲେ
ଭବ ବନ୍ଧନୁଁ ତରିବା ।
ଶରଣାଗତର ରକ୍ଷଣ ପାଇଁକି
ଗୁରୁ ଧରନ୍ତି ଶରୀର ।
ଆଶ୍ରିତ ହୋଇଲେ ନିଶ୍ଚିତ କଟିବ
ସଂସାର ବନ୍ଧନ ତୋର ।
