STORYMIRROR

Hasyamayee Raj

Others

3  

Hasyamayee Raj

Others

ସଂପର୍କ ତ ଏମିତି

ସଂପର୍କ ତ ଏମିତି

1 min
158


ସଂପର୍କ ତ ନୁହେଁ

ଏକ ଭସା ବାଦଲ 

ଯିଏ ମୁହୁର୍ମୁହୁ

ବଦଳାଉଥାଏ ରୂପ

ସଂପର୍କ ତ

ସୁବାସିତ ଶୀତଳ ଚନ୍ଦନ

ଯାହାର ଛୁଆଁରେ

ହରି ହୋଇଯାଏ

ହୃଦୟ ଆତପ ।

ସଂପର୍କ ତ ନୁହେଁ 

ଏକ ଅଦିନିଆ ମେଘ 

ଯିଏ ହଠାତ୍ ବରଷି ଦେଇ

ବଦଳାଏ ତାର ଦିଗ

ସଂପର୍କ ତ

ଚିରସ୍ରୋତା ନଈଟିଏ

ଯିଏ ଭିଜୋଉ ଥାଏ

ହୃଦୟର କୋଣ ଅନୁକୋଣ

ବଦଳେ ନାହିଁ ତା'ର ବେଗ ।

ସଂପର୍କ ତ ନୁହେଁ 

ଛଳନାରେ ପରିପୂର୍ଣ୍ଣ

ଶୁଷ୍କ ହସ

ଯାହା ଭିତରେ ଭରିଥାଏ ବିଷ,

ସଂପର୍କ ତ

ଠିକ୍ ଆକାଶ ପରି

ଉଦାର ବିଶାଳ

ଚିର ପ୍ରସସ୍ତ

ଯାହାକୁ ଚାହିଁଦେଲେ

ମେଣ୍ଟିଯାଏ ହୃଦୟର ଶୋଷ ।

ସଂପର୍କ ତ ନୁହେଁ 

ଅହମିକାର ଚୋରାବାଲି ସ୍ତର

ଆଶଙ୍କାରେ ପରିପୂର୍ଣ୍ଣ ଯାର

ପ୍ରତି ପଦପାତ । 

ସଂପର୍କ ତ

ପାହାଡ଼ ପରି ଅଚଳ ଅଟଳ

ଯିଏ ମୁଣ୍ଡଟେକି

ଠିଆହୋଇଥାଏ

କଠିନ ବଜ୍ରକୁ କରି ପ୍ରତିହତ ।

ସଂପର୍କ ତ ନୁହେଁ 

ସକାଳର କୁହୁଡି 

ସୂର୍ଯ୍ୟର ଆଲୋକରେ

ଲୁଚିଯିଏ ଯାହାର

ଧୂମାୟିତ ଆସ୍ତରଣ ।

ସଂପର୍କ ତ

ଏକ ମହାଦ୍ରୁମ

ଯିଏ ଆନକୁ ବଞ୍ଚାଉଥାଏ

ଦେଉଥାଏ ଜିଇଁବାର

ପ୍ରତିଶ୍ରୁତି ମାନ ।

ସଂପର୍କ ତ ନୁହେଁ 

ମିଛି ମିଛି ହସ ଅବା ଲୁହ

ଏ'ତ ମନଖୋଲା ହସ

ଆଉ ଅତୁଟ ବିଶ୍ବାସ

ତା ଭିତରେ ଭରିଥାଏ

କେତେ ଆଶା ଆଶ୍ବାସନା

ପ୍ରେମ ଆଉ କୋହ ।।



Rate this content
Log in