ସଂଖ୍ୟା ବଢୁଛି-ମାନ କମୁଛି
ସଂଖ୍ୟା ବଢୁଛି-ମାନ କମୁଛି


ଆଧୁନିକ ଯୁଗ ଘର ବଢିଚାଲେ ପରିବାର ଛୋଟ ହେଉଛି,
ଆମେରିକା ଲାଗେ ବହୁତ ପାଖରେ ପଡୋଶୀ ଦୂରେଇ ଯାଉଛି |
ଜ୍ଞାନ-ବିଜ୍ଞାନର ବିକାଶ ଘଟୁଛି ସାଧାରଣଜ୍ଞାନ କମୁଛି,
ମଦର ପ୍ରସାର ହେଉଛି ପ୍ରବଳ ପାଣି କିଣିବାକୁ ପଡୁଛି |
ମଣିଷର ସଂଖ୍ୟା ବଢିବଢି ଚାଲେ ମାନବିକତାଟି ମରୁଛି,
ଦାମୀଘଡ଼ି ସିନା ମିଳେ ବଜାରରେ ସମୟ କାହାକୁ ମିଳୁଛି ?
ଧନୀଲୋକ ଘରେ ଧନ ବଢ଼ି ଚାଲେ ସୁଖ ଆଉ ଶାନ୍ତି କମୁଛି,
ଭଲ ପାଇବାଟା ଛଳନା ହେଉଛି ସଂପର୍କ ବହୁତ ବଢୁଛି |
ଫସଲ ଅମଳ ବଢୁଛି ଦେଶରେ ଭୋକରେ ମଣିଷ ବିକଳ,
କାମ କରିବାକୁ ଲୋକ ମିଳୁନାହିଁ ଦାଦନ ଶ୍ରମିକ ପ୍ରବଳ |
ଦେବତା ମନ୍ଦିର ବଢୁଛି ବହୁତ ଭକ୍ତିଭାବ କମି ଯାଉଛି,
ସଂଗୀତ ସିନେମା ବଢିବଢି ଚାଲେ ମାନ ତା' ହରେଇ ଦେଉଛି |
ଲେଖକର ସଂଖ୍ୟା ବଢିବା ସହିତ ପାଠକର ସଂଖ୍ୟା କମୁଛି,
ବକ୍ତାଙ୍କର ସଂଖ୍ୟା ସଭାରେ ବଢୁଛି ଶ୍ରୋତା ତା' ନିଦରେ ଝୁମୁଛି |
ଅଫିସର ସଂଖ୍ୟା ବଢିଲେ କି'ହେବ ଅଧାଦିନ ତାଲା ଝୁଲୁଛି,
ସେବକର ସଂଖ୍ୟା ବଢୁଛି ସବୁଠି ସେବା ଯତ୍ନ କମି ଚାଲୁଛି |
ବିଦ୍ୟାଳୟ ସଂଖ୍ୟା ବଢୁଛି ପ୍ରବଳ ପାଠପଢ଼ା ମାନ କମୁଛି,
ଗାଆଁର ମଣ୍ଡପ ବଢୁଛି ସେଇଠି ତାଆସ ଖେଳଟା ଜମୁଛି |
ମୋବାଇଲ ଫୋନ ସଭିଙ୍କ ହାତରେ ସମୟ କାହାକୁ ଅଣ୍ଟୁନି,
ବାବାଜୀଙ୍କ ସଂଖ୍ୟା ବଢୁଛି ଯେମିତି ବଢୁଛି ସେମିତି ଭଣ୍ଡାମୀ |