STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ସଂଘର୍ଷ

ସଂଘର୍ଷ

1 min
130


ଯଦି ଜୀବନର ଅନ୍ୟନାମ  

ସଂଘର୍ଷ ହୁଏ,

ତେବେ ବଂଚିବାକୁ ହୁଏ

ପିଇ ପିଇ ଲୁହ ଆଉ ଲହୁ,

ମୃତ୍ୟୁ ସାଥେ ଲଢିବାକୁ ହୁଏ

ତାରୁଣ୍ୟର ଉଦବେଳିତ 

ତରୁ ଛାୟା ତଳେ,

ସାମନା କରିବାକୁ ହୁଏ

ସମୁଦ୍ରର ଉତ୍ତାଳ ତରଙ୍ଗ

ନିର୍ଜନ ବେଳାଭୂଇଁର ବିଶାଳ

ବାଲୁକା ଶଯ୍ୟାରେ ,

ଯାହା ଏକାନ୍ତ ନିଜର ଲାଗେ ମୁଠାଏ ଶୂନ୍ୟତା

ଆଉ କିଛି ନୁହେଁ ।


ଅଦିନ ଝଡରେ ଯେବେ

ଖସି ପଡେ ପତ୍ର ବୃକ୍ଷର ଡାଳରୁ

ଭୂପତିତ ହୁଏ

ରାତିର ନିଘଂଚ ପ୍ରହରେ ,

ଶବ୍ଦମାନେ ସ୍ବତଃ ଅପହଂଚ ହୁଅନ୍ତି 

କ୍ଷତବିକ୍ଷତ ହୁଅନ୍ତି ଶୂନ୍ୟ ଇଲାକାରେ 

ଯାହା ଖାଲି ଛକାପଞ୍ଝା 

ଏନ୍ତୁଡିଶାଳରୁ ଜୁଇ ଜଳିବା ପର୍ଯ୍ୟନ୍ତ 

ପ୍ରାପ୍ତି-ଅପ୍ରାପ୍ତିର ଦୋ' ଛକି ଭିତରେ ।


କଇଁ ପାଖୁଡାପରି ମଳିନ ଆଖିରେ

ସ୍ବପ୍ନ ଦେଖିବାକୁ ହୁଏ ବାରମ୍ବାର, 

ଆଶାର ଅଗଣାରେ 

ବିଚରଣ କରିବାକୁ ହୁଏ

ଏକା ଏକା,

ଦୋଳାୟମାନ ମେଘର କୋଳରେ 

ଜହ୍ନ ଦେଖିବାକୁ ହୁଏ,

କଳା ମିଟିମିଟି ଅନ୍ଧାର ଭିତରେ

ଦେଖିବାକୁ ହୁଏ 

ଆଲୋକର ଉଜ୍ଜଳ ଚିତ୍ର ,

ଆଉ ଦୁଃଖ ସୁଖର ପଶାପାଲିରେ

ଖେଳୁ ଖେଳୁ

ସମୟ ସାଥିରେ ବାଜି ଲଗାଇ

ବାଟ ଚାଲିବାକୁ ହୁଏ

ବିଛାଡି ହୋଇ ପଡିଥିବା  

କଣ୍ଟାର ପରସ୍ତ ପରସ୍ତ ଆସ୍ତରଣ ଉପରେ ।


ସଂଘର୍ଷ ଚାଲିଛି ଯେ ଚାଲିଥିବ

ଅତୀତର କେଉଁ ଏକ ଅଥଳ ଗର୍ଭରୁ

ଶିଆଳି ଲତା ଭଳି ଛନ୍ଦି ହୋଇ ରହିଥିବ

ଶିରା ପ୍ରଶିରାରେ 

ପୁଣି ଟକ୍ ମକ୍ ଫୁଟୁଥିବା ରକ୍ତ କଣିକାରେ,

ଜୁଝିବାକୁ ହେବ ସମୟ ସହିତ

ପୁଣି କେତେବେଳେ ନିଜ ସହ,

ହାରୁ ହାରୁ ଜିତିବାକୁ ହେବ

ବାକିତକ ଆୟୁଷକୁ 

ଚକମକ କରିବାକୁ ହେବ ପୁନଶ୍ଚ ,

ହେଉ ପଛେ ନିଦାଘର ମଧ୍ୟାହ୍ନ

ଅବା ବସନ୍ତର ଅଫୁରନ୍ତ ସମ୍ମୋହନ ।


Rate this content
Log in