ସଙ୍ଗୀତ ରାଗ ଭୈରବୀ
ସଙ୍ଗୀତ ରାଗ ଭୈରବୀ
ଶୀତ ଝରକାର ଉଷ୍ମ ଅଙ୍ଗନେ
ଉଙ୍କିମାରେ ଧ୍ରୁବ ଜହ୍ନ,
ବହଳ ବହଳ ବଉଦ କୋଳରେ
ଲୁଚି ଯିବାପାଇଁ ମନ ।
ଶାରଦୀୟ ରାତି ଭିଜା ଭିଜା ପ୍ରୀତି
ମୃଦୁ ମୃଦୁ ମାଦକତା,
ଜହ୍ନ ଜୋଛନାରେ ନଈ ପଠା ଖେଳେ
ରଙ୍ଗେ ହୋଇ ମଦାଳସା ।
ଫଗୁଣ ଫୁଲକୁ ପରାଜିତ କରି
କାଶତଣ୍ଡି ଉଠେ ହସି,
ଶୀତର ଲହରୀ ଚୁମି ଚୁମି କୁହେ
ଆ' ଲୋ ! ଶରଦ ଶଶୀ !!
ଶୀତ ସକାଳର ଗୋଲାପୀ ଗୋଲାପେ
ଶିଶିର ମୁକ୍ତା ଝଲସେ,
ବାଳ ଅରୁଣର ସୁନେଲି କିରଣେ
ସାଗର ନାଚେ ଉଲ୍ଲାସେ ।
ଶୁଭ୍ର ଶୀତଳ ନୀଳ ଓଢଣିରେ
ସନ୍ଧ୍ୟାରାଗର ସିନ୍ଥି,
ସୁଶୋଭିତ କରେ ପ୍ରକୃତି ରାଣୀକୁ
ତାରା ମେଳେ ହାର ଗୁନ୍ଥି ।
ପକ୍ଷୀର କୁଜନେ ନିର୍ବାକ୍ ପ୍ରଭାତ
ନିଶୂନ୍ ସନ୍ଧ୍ୟାର ଛବି,
ଆକାଶ ସାଗର ଦିଗ୍ବଳୟେ ଶୁଭେ
ସଙ୍ଗୀତ ରାଗ ଭୈରବୀ ।
ଉଦାସୀ ଅଗଣା ରଙ୍ଗ ବେରଙ୍ଗର
ଫୁଲରେ ସଜେଇ ହୁଏ,
ହସ ଖୁସି ଭରା ଜୀବନ ସଙ୍ଗୀତ
ଗୁଣୁ ଗୁଣୁ ଗାଇଯାଏ ।
