STORYMIRROR

Jayadeba Mahapatra

Others

3  

Jayadeba Mahapatra

Others

ସନ୍ଧ୍ୟା

ସନ୍ଧ୍ୟା

1 min
13.1K


ପଶ୍ଚିମ ଆକାଶେ ରବି ଲୋହିତ ଦିଶଇ ଛବି

ବାହୁଡ଼ିବା ପାଇଁ ବ୍ୟଗ୍ର ହୁଅଇ ମତି

ମାଆ ଭଗିନୀଙ୍କ ବେଶ ଲାଗଇ ବଡ଼ ସରସ

ଚଉରା ମୂଳେ ଦିଅନ୍ତି ସେ ସଞ୍ଜ ବତୀ

ଗ୍ରାସ କରେ ଧରାକୁ ରାତି

ସନ୍ଧ୍ୟା କାଳେ ଭାସି ଆସେ ପ୍ରାର୍ଥନା ଗୀତି |

ବେଳ ବୁଡ଼ିବାର ଦେଖି ଗଗନେ ଉଡ଼ନ୍ତି ପକ୍ଷୀ

ଗୋଧୂଳି ଉଡ଼ାଇ ଗାଈ ଛାଡ଼ନ୍ତି ରଡ଼ି

ଆନନ୍ଦରେ ଗାଇ ଗୀତ ମନ କରି ବିମୋହିତ

କ୍ଷେତ କାମ ସାରି ଚଷା ଆସେ ବାହୁଡ଼ି

ମଧୁ ଶୋଷି ପୁଷ୍ପକୁ ଛାଡ଼ି

ମଧୁପ ନିଜ ବାସକୁ ଗଲେଣି ଉଡ଼ି |

ନୀଳ ନଭେ କୌତୂହଳେ ତାରା ମାନଙ୍କର ମେଳେ

ତମସା ବିନାଶି ଶଶୀ ଆସନ୍ତି ଉଇଁ

ଶୀତଳ ଜୋଛନା ପାଇ ଆନନ୍ଦେ ଅଧୀର ହୋଇ

ଉପରକୁ ଚାହିଁ ହସି ଉଠଇ ଭୂଇଁ

ନିଶାକର ଦେବାରୁ ଛୁଇଁ

ମାନ ଭାଙ୍ଗି ପ୍ରସ୍ଫୁଟିତ ହେଲାଣି କଇଁ |

ସନ୍ଧ୍ୟା ହେତୁ ଗିରିବନ ସଭିଏଁ ହୋଇ ମଉନ

ନିରେଖି ଦେଖନ୍ତି ଶ୍ୱାନ ଶୃଗାଳ କଳି

ପିଲାଏ ଆସନ୍ତି ଖେଳି ଦେହେ ବୋଳି ହୋଇ ଧୂଳି

କୋଳକୁ ନେଇ ମା’ କହେ ହୃଦ ଶଙ୍ଖାଳି

ସନ୍ଧ୍ୟା ଦୀପଟିଏ ସେ ଜାଳି

ଶୁଭ ମନାସି ପ୍ରଭୁଙ୍କୁ ଜଣାଏ ଅଳି |

ବିବିଧ ଗୀତକୁ ଗାଇ ଦିଏ ମା’ ପିଲା ଶୁଆଇ

ବ୍ୟାଘ୍ର ଆସେ ବୋଲି କହେ ଗର୍ଜନ କରି

ବାଳୁତ ପିଲାକୁ ଧରି ଖୁଆଇ ଦିଏ ସେ ଥିରି

ଆସ ଜହ୍ନ ମାମୁଁ ଡାକେ ହାତକୁ ଠାରି

ମଲ୍ଲୀ ହେନା ଭଳି କି ଭଳି

ନିଶି ଆଗମନେ ଫୁଟି ଝରେ ଶେଫାଳି |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍