ସନ୍ଧ୍ୟା ର ଆଗମନେ
ସନ୍ଧ୍ୟା ର ଆଗମନେ
ପଶ୍ଚିମ ଆକାଶେ ସୂର୍ଯ୍ୟ ହେଲେ ଅସ୍ତ
ଚାରିଆଡେ ଖେଳିଗଲା ଇଷତ ନାରଙ୍ଗୀ ରଙ୍ଗ,
ସନ୍ଧ୍ୟାର ହୋଇଲା ଆଗମନ
ବସାକୁ ଫେରିଲେ ବିହଙ୍ଗ ।
ଗୋଧୂଳି ଉଡେଇ
ଗୋପ ପୁଅ ଫେରେ
ଗାଈ ଗୋଠ ସବୁ
ଚାଲନ୍ତି ଆଗରେ ।
କ୍ଷେତୁ କାମ ସାରି
ଫେରିଲାଣି ଚଷା ପୁଅ,
ଦିନ ସାରା ଖଟିଖଟି
ମୁହଁ ଦିଶେ କ୍ଲାନ୍ତ ।
ବୃନ୍ଦାବତୀ ମୂଳେ
ସଂଜବତୀ ଜଳେ,
ଘରର ଝିଅ ବୋହୂ
ଗୁହାରି ଢାଳେ ।
ଘରୁ ଘରୁ ଶୁଭେ
ଶଙ୍ଖର ନାଦ,
ଖେଳ ସାରି ପିଲାଏ
ମୁହଁ ହାତ ଧୁଅ ।
ଭାଗବତ ଘରୁ
ଶୁଭେ ଜଣାଣ,
ଠାକୁର ଘରେ
ସଭିଏଁ କରନ୍ତି ପ୍ରଣାମ ।
ମନ୍ଦିରରୁ ଶୁଭେ
ଘଣ୍ଟ ଆଳତୀ,
ବହି, ପତ୍ର ଧରି ପିଲାଏ
ପଢି ବସନ୍ତି ।
ସନ୍ଧ୍ୟାର ଆଗମନେ
ଦିବା ଯାଏ ଫେରି,
ନିଶି ଆସିବାକୁ
ଥାଏ ଅପେକ୍ଷା କରି । ।
