ସନ୍ଦେହ
ସନ୍ଦେହ
କେତେ ଥର କହିବି ତୁମକୁ ସେ ଅତୀତ କଥା
କ'ଣ ମିଳିବ ସେ ପୁରୁଣା ଦିନରୁ
ମୁଁ ଜାଣି ପାରୁନି !!
କାହିଁକି ତୁମର ସେଇ ଗୋଟିଏ ପ୍ରଶ୍ନ,
ସ୍ମୃତି ହୋଇ ସାଇତା ହୋଇଥିବା
ଅତୀତର ଯନ୍ତ୍ରଣା ଭରା କ୍ଷତ ଗୁଡିକ
ତେଜିଆନ୍ କରି ଦେଉଛି ।
ଛାତିରେ କୋହ ଆଖିରେ ଅଦେଖା ଲୁହ
ମୋ କୋମଳ ହୃଦୟ ଟାକୁ ବାରମ୍ବାର
ପ୍ରହାର କରି ଚାଲିଛି ।
ଏତେ ବର୍ଷ ମୋ ହାତ ଧରି ବାଟ ଚାଲିଲା
ପରେ ବି ତୁମର ଏଇ "ସନ୍ଦେହ"
ଟିକକ ପାଇଁ, ସବୁ ଖୁସି ଗୁଡିକ
ପାଣି ଫୋଟକା ପରି ଉଭେଇ ଯାଉଛି ।
ତୁମର କୌଣସି ଆବଶ୍ୟକତାରେ
କେବେ ଊଣା କରିନି,
ମୋ ଭଲପାଇବା ତୁମ ପ୍ରତି ନିଜଠୁ ବି
ଯଥେଷ୍ଟ ରହିଛି ।
ବାପା, ବୋଉ ନିଜ ଝିଅ ଠାରୁ ଅଧିକ ସ୍ନେହ
ତୁମକୁ କରନ୍ତି, ପରିବାରର ସମସ୍ତେ
ଆଦର କରନ୍ତି ।
ବନ୍ଧୁ ବାନ୍ଧବ ମୁଖରେ ତୁମର ପ୍ରଶଂସା ।
ତଥାପି ତୁମେ ଅଶାନ୍ତ, ଶାନ୍ତି ତୁମଠାରୁ
ବହୁ ଦୂରେ, ପରି ରାଇଜ କାହାଣୀ
ପାଲଟି ଯାଇଛି ।
ଅଭିମାନ କରି ତୁମେ ପୁରା ଚୁପଚାପ୍ ।
କହିଲ ଦେଖି ! ତୁମେ ମୋ ବର୍ତ୍ତମାନ କୁ ନେଇ
ବଞ୍ଚିବ ନା ମୋ ଅତୀତ କୁ ନେଇ ।
ମୁଁ ମୋ ଅତୀତକୁ ସ୍ମୃତିର ସମାଧୀରେ
କବର ଦେଇ ସାରିଛି ।
ତେଣୁ ତୁମେ ମୋ ବର୍ତ୍ତମାନକୁ ନେଇ ବଞ୍ଚିବାକୁ
ଚେଷ୍ଟା କର, ସୁଖ ଶାନ୍ତିରେ ଜୀବନ କଟିଯିବ ।
ମନରେ "ସନ୍ଦେହ" କେବଳ ଦୁଃଖ କଷ୍ଟ
ଦେଇଥାଏ, ଆନ୍ତରିକ ଭଲପାଇବା ନଥାଏ ।