ସ୍ନାନ୍ନ ପୂର୍ଣ୍ଣିମା
ସ୍ନାନ୍ନ ପୂର୍ଣ୍ଣିମା
ବଳିଆ କାଳିଆ କାଇଁଚ ମାଳିଆ
ହାଲିଆ କି ଶ୍ରମଝାଳେ
ଧେନୁଙ୍କ ମେଳିଆ ଗୋପ ଗୁଆଳିଆ
ବିଞ୍ଚୁଥାନ୍ତି ଜାମୁ ଡାଳେ ।
ବିଛା ରାଶି ଖରା ବିଛୁଆତି ପରା
ଦହୁଛି ତନୁ ତୁମ୍ଭର
ଆଗକୁ ଯାତରା ନବରଙ୍ଗେ ତୋରା
ସୁବେଶ ହେବ ଏଥର ।
ଶ୍ରୀମନ୍ଦିରେ ଥାଇ ଘେନି ଭଗ୍ନୀଭାଇ
ବିରାଜି ରତ୍ନ ଆସନେ
ପ୍ରୀତି ଭାବ ନେଇ ରହିଛ ଅନେଇ
ଆକୁଳ ଭକତ ଜନେ ।
ବୃଶ୍ଚିକ ରାଶିର ଜ୍ୟେଷ୍ଠା ନକ୍ଷତ୍ରର
ପୂର୍ଣ୍ଣିମାରେ ଆବିର୍ଭାବ
ଶରଣ ପଞ୍ଜର ଭୁଜେ କି କୁଞ୍ଜର
କୃପାବାରି ଢାଳିଦେବ ।
ପତିତଙ୍କ ମେଳେ ଦୁଃଖହାରୀ ହେଳେ
ହାଲିଆ କି ଆଜ ତୁମେ
ଶହେ ଆଠ ଢାଳେ ଅବଗାହି ଜଳେ
ବସିବ ମଣ୍ଡପ ଭୂମେ ।
ଝୁମୁରୁ ଝୁମୁରୁ ନଚାଇ କଟିରୁ
ଖସାଇ ଘାଗୁଡି ମାଳ
ପରଂବ୍ରହ୍ମ ଦାରୁ ଆହେ ମହାମେରୁ
ଭକତ ଭାବରେ ଭୋଳ ।
ପୀଠେ ହେବ ଉଭା କୋଟିକାମ ପ୍ରଭା
ନଥିବ ତ ଆଭୂଷଣ
ଦେଖି ହେବ କିବା ଅପୂର୍ବ ସେ ଶୋଭା
ଘେରାହେବ ଆବରଣ ।
ହେ ବାଙ୍କବିହାରୀ ଲୋତକର ବାରି
ଦେଇଛ ତ ଜାଣି ଏତେ
କେତେ ଆଶା ଧରି ଆସି ଅଛି ପୁରୀ
ରଖିବ କି ପାଦଗତେ ।