ସ୍ମୃତିର ସାଥୀ ସ୍ମୃତିକା
ସ୍ମୃତିର ସାଥୀ ସ୍ମୃତିକା
ଆକାଶର ଏହି ଶୂନ୍ଯତା ପଥରେ
ତୁମେ ସାଥୀ ଅନାମିକା,
ଝୁଣ୍ଟିବା ଆଗରୁ ହାତ ଧରୁଥିଲ
ସାଜି ଜୀବନ ନାୟିକା।
ଅସରନ୍ତି ଆଶା ଜୀବନେ ମୋ ଉଷା
ତୁମେ ହିଁ ତ ଦେଲ ଆଣି,
ଉଷା ଥାଇ ତିଥି ନ ଆସ ଅତିଥି
ମନେ ମନେ ହୁଏ ଗୁଣି।
ବୁଢିଆଣୀ ଜାଲେ ଛନ୍ଦି ହୋଇଥିଲେ
ପ୍ରେମ କରି କିଣାବିକା,
ସ୍ମୃତି ପଟ୍ଟ ଚିତ୍ର କରଇ ଅସ୍ଥିର
ସ୍ମୃତିର ମଧୁ ଚନ୍ଦ୍ରିକା।
ଆଗୋ ସ୍ମୃତିରେଖା ସ୍ମୃତିର ସ୍ମୃତିକା
ସ୍ମୃତି ସାଥେ ଦିଅ ଦେଖା,
ତମ ସ୍ମୃତି ଖାଲି ଖେଳେ ଲୁଚକାଳି
ଲାଗେ ଖାଲି ଏକା ଏକା।
ଭରିଥିଲ ଦିନେ ଏହି ମୋ ଜୀବନେ
ରଙ୍ଗୋଲିର ରଙ୍ଗ ଟୀକା,
ଆଜି ଅପରାହ୍ନେ ଭରେ ତନୁ ପ୍ରାଣେ
ଖାଲି ବାଲି ମରୁଚିକା।
ଅଛି ସେ ପୁନେଇଁ ଜହ୍ନ କିନ୍ତୁ ନାହିଁ
ଅଭିମାନେ ଗଲ ଲୁଚି,
ଅମା କି ପୁନେଇଁ ଜାଣି ପାରୁନାହିଁ
ସ୍ମୃତି ସବୁ ଲାଗୁଅଛି।
ଏହି ସ୍ମୃତି ଛବି ହୃଦୟରେ ଭାବି
କହଇ ମନକୁ ଏକା,
ସ୍ମୃତିର ସରାଗ ଦେଖାଇଲ ଆଗ
ସ୍ମୃତିର ସାଥୀ ସ୍ମୃତିକା।
©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।
