ସ୍ମୃତି
ସ୍ମୃତି
ସ୍ମୃତି ଫୁଲ ହୋଇ
ବେଳେ ବେଳେ ଫୁଟେ
ଆଘ୍ରାଣରେ ମହକ ଭରେ
ଓଠ ପରି ଗଣ୍ଡକୁ ଚୁମେ
ମୁହଁ ଗୁଞ୍ଜି ଛାତିରେ ଜାକିହୁଏ|
ସ୍ମୃତିର ବିଷାଦ
ଚିପୁଡ଼ି ଦିଏ ଦେହ
ଉଖାରି ଦିଏ ମନର ଘା
ଆଖିରୁ ନାକରୁ ପାଣି ନିଗାଡ଼େ
କଙ୍କଡାବିଛା ପରି ନାଉଡ଼ ମାରେ |
ବେଳେ ବେଳେ ନିଜ ଛାଇପରି
ନିଜ ପଛେ ପଛେ ଗୋଡ଼ାଏ,
କେବେ ସମୁଦ୍ରର ଢେଉ ହୋଇ
ମୁହଁରେ ବାଡେଇ ହୁଏ
ନହେଲେ ଧୂଁଆ ହୋଇ
ନିଶ୍ୱାସ ରୁନ୍ଧେ|
କଦବା କେମିତି ସ୍ଵପ୍ନଟିଏ ହୋଇ
ଆଖିରେ ବସା ବାନ୍ଧେ,
ଭରଷାଟିଏ ହୋଇ,ପତ୍ରପରି କଅଁଳେ
ବିଜୁଳି ପରି ଚମକି
ପେଜୁଆ ଆଖିରେ
ରଙ୍ଗର ଛିଟା ଟାଣେ |
ଜିଇଁବା ପାଇଁ ସାହସ ଦିଏ
ଆଉଁସି ଆଉଁସି ବୋକ ଦିଏ
ଲୁହ ପୋଛିଦିଏ, ସ୍ବେଦ ପୋଛିଦିଏ
ହୃଦୟରେ ତୋଳିଦିଏ ଘର |
ସ୍ମୃତି ଦଲକାଏ ଦଲକାଏ ପବନ
ଜୀବନକୁ ଛୁଇଁ ଛୁଇଁ
ଯା’ ଆସ କରୁଥାଏ,
ସେ ତ ଅଧରା ଅଫେରା
ଅଥଚ ସେ ନଥିଲେ
ଜୀବନ ଲାଗେ ଯେମିତି ଅଧୁରା |
