ସ୍ମୃତି ତାରା ଫୁଲ
ସ୍ମୃତି ତାରା ଫୁଲ
ଜୀବନଟା ସ୍ଵପ୍ନ ପରି
କେବେ ଭଲ କେବେ ମନ୍ଦ
କାହିଁକି ସେ ହସ ଦେଇ
ଭରି ଦିଏ କୋହ କାନ୍ଦ ।
କେତେ ମୁହଁ ଦିଶୁ ଥାଏ
ସତେ କେତେ ଆପଣାର
ସେ ମୁହଁକୁ ଜାଗା ଦେଇ
ଗଢି ଉଠେ ବାଲି ଘର ।
ଧୀରେ ଧୀରେ ସେହି ମୁହଁ
ପାଲଟିଲା ସ୍ଥାଣୁ ଜଡ
ତା ସାଙ୍ଗରେ ଚାଲି ଆସେ
ଦୁଃଖ ଦୁର୍ବିସହ ଝଡ ।
ଛାଇ ଆଲୁଅର ପରି
ଚାଲିଥାଏ ଦିନ ରାତି
ଋତୁ ପରି ବଦଳିଲେ
ସ୍ଵପ୍ନ ଆଜି ଦିଏ ଭୀତି ।
ପ୍ରତାରଣା କରିବାରେ
ଥାଏ ଏଠି ଭାରି ମଜ୍ଜା
ସରଳ ଜୀବନ ପଡ଼ି
ଏକା ଏକା ପାଏ ସଜା ।
ଅତି ଆପଣାର ଲୋକ
ପ୍ରାଣେ ଭରିଥାନ୍ତି ବ୍ୟଥା
ସ୍ମୃତି ତ ସେପରି ନୁହେଁ
କାନେ କୁହେ ସୁଖ କଥା ।
ନୀରବକୁ ସାଥୀ କରି
ବଞ୍ଚିଯାଅ କିଛି ଦିନ
ବାଣ୍ଟିନେବ ଅଧା ଦୁଃଖ
ବୁଝୁଥିବ ସିଏ ମନ ।
ସ୍ଵାର୍ଥପର ଦୁନିଆଁରେ
ଦୁଇ ଦିନ ପାଇଁଁ ସାଥୀ
ନିଜର ସୁବିଧା ନେଇ
ସାଜନ୍ତି ଜୀବନେ ରଥୀ ।
ଶୀତର ସକାଳ ପରି
କଅଁଳ ଚମକ ଖରା
ପୁଣି ବଇଶାଖ ସାଜି
ଜାଳନ୍ତି ଜୀବନ ସାରା ।
ସ୍ମୃତି ରୂପେ ମାନସରେ
ଖେଳିବେ ଅଭୂଲା ଦୋଳି
କାହାକୁ କହିବ ବନ୍ଧୁ
ଭାଳି ଭାଳି ଯିବ ଜଳି ।
