STORYMIRROR

Biswanath Nayak

Others

4  

Biswanath Nayak

Others

ସ୍ମୃତି ପସରା

ସ୍ମୃତି ପସରା

1 min
24K


ପାଦର ପାଉଁଜି

    ହଜିଯାଏ ସିନା

       ଛାଡିଯାଏ ତାର ସ୍ମୃତି,

ମନ ଅଗଣାରେ

    ତା ମଧୁ ଗୁଞ୍ଜନ

        ଶୁଭୁଥାଏ ଦିବାରାତି। 


ବାହୁଡ଼ା ବସନ୍ତ

     ସାରି ଅଭିସାର

        ଦୂରେ ସିନା ଚାଲିଯାଏ,

ତା ମଧୁ ମଳୟ

       କାଉଁରି ପରଶ

          ସ୍ମୃତିରେ ସାଇତା ଥାଏ। 


ଝରିଯାଏ ସିନା

    ଧାରା ଶିରାବଣ

          ଝୁରେ ସଦା ତାକୁ ମନ,

ରିମ୍ ଝିମ୍ ତା'ର

     ବରଷା ଛିଟାରେ 

           ସ୍ମୃତି ଭିଜେ ପ୍ରତିଦିନ। 


କ୍ଳାନ୍ତ କବରୀର

     ଲାଜେଇ ଗଜରା

           ଶ୍ରାନ୍ତ ହୋଇ ଝଡିଯାଏ,

ତା ମଧୁ ସୁରଭି

      ସ୍ମୃତି ପସରାରେ

            ସଦା ଉଙ୍କି ମାରୁଥାଏ। 


ଦେବତା ଆଳୟେ

      ସଞ୍ଜ ଆଳତୀଟା

            ଜଳି ସିନା ଶେଷ ହୁଏ,

ଭକତ ଅନ୍ତରେ

       ଭକ୍ତି ଦିପାବଳୀ

             ଜାଳିଦେଇ ସିଏ ଯାଏ। 


ମାଟିର ମଣିଷ

      ଅଭିନୟ ସାରି

         ମାଟିରେ ତ ମିଶିଯାଏ,

କିନ୍ତୁ ତା'ର ଯଶ

     କୀରତି କେତନ

          ସବୁବେଳେ ଉଡୁଥାଏ।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍