STORYMIRROR

Shiba Charan Mahapatra

Others

2  

Shiba Charan Mahapatra

Others

ସ୍ମୃତି ଏକ ରୂପା ଜହ୍ନ

ସ୍ମୃତି ଏକ ରୂପା ଜହ୍ନ

1 min
325



ଜୀବନ ସୁରୁଜ ଢଳି ଢଳି ଯାଏ

ଅପରାହ୍ନ ଢଳି ଗଲା ପରେ

ଲମ୍ବି ଲମ୍ବି ଯାଏ ନିଜ ଠାରୁ ଛାଇ

ଦୂର ଦିଗ୍‌ବଳୟ ଆର ପାରେ...

ନଇଁ ଗଲେ ସଂଜ ହୋଇ ସଜବାଜ

ସମୀପରେ ଆସି ହୁଅ ଉଭା

ଜଳି ଜାଳିଦିଅ ପୁଣି ହସୁଥାଅ

ସତେକି ଅଗ୍ନେୟଗିରୀ ଲାଭା...

ଚେଇଁ ଉଠ ତୁମ ଉଗ୍ର ଫଣା ଟେକି

ସୁପ୍ତ ଥିଲା ଯାହା କେତେକାଳୁ

ମଉଳା ଫୁଲ ବି ମହକି ଉଠଇ

ଦରଦି ସମୟ ପାବଚ ତଳୁ...

କାଠି କୁଟା ଏଇ ଦଦରା ପିଞ୍ଜରା

ନିରବେ ଢାଙ୍କିଛି ତୋତେ କେତେ

ଫର୍ଦ ଫର୍ଦ ସେ ନୀଳ ଅତୀତ ର

ଅଭୁଲା ଅବନା ପାଠ ଯେତେ...

ବିଦଗ୍ଧ ବାରତା ପ୍ରତି ପଂକ୍ତି ଆଣେ

ନରମ ପାଖୁଡା ଡେଣା ମେଲି

ବଡ ବେଦରଦି ତୋ ଶବ୍ଦ ର ଅର୍ଥ

ନିଃଶବ୍ଦ ଯନ୍ତ୍ରଣା ଦିଅ ଖାଲି...

କିଛି କିଛି ମିଠା କିଛି ପୁଣି ଖଟା

ତ୍ରିବେଣୀ ସଂଗମ ହସ କାନ୍ଦ ର

ରୂପେଲୀ ପରଦା ମନ କାନ୍ଭାସ୍ ରେ

ଦରପୋଡା ଚିହ୍ନ ଅଙ୍ଗାର ର...

ବେଳାଭୂମି ପରେ ସାମୁକା ପରାୟେ

ପଡିଥାଅ କାହା ଅଜାଣତେ

ସେ ଏକା ଦେଖଇ ତୁମ ଗର୍ଭ ମୋତି

ଛାଡି ଯାଇଥାଏ ଯିଏ ତୋତେ...

ସ୍ମୃତି ତୁମେ ସତେ ମୃଦୁ ଜହର ଟେ

ବନ୍ଦୀ କର ତୁମ ଲାଳସା ରେ

ଅଫେରା ଅତୀତ ଘୋଷାଡି ଆଣୁଛ

ତୁମ ନିଶା ଡୋରି ଚାବୁକ ରେ...

ମାଡ ମାରି ତୁମେ ଅତୀତ କୁ କୁହ

" ମନ କୁ କି କେବେ ଛାଡି ଯିବୁ..??

ତୁ ଛାଡ଼ିଗଲେ ହଜିବ ତୋ ସତ୍ତା

ନିଜଠୁ ନିଜକୁ ହରେଇବୁ.."...

ସ୍ମୃତି ତୁମେ ପ୍ରାଣେ ରୂପା ଜହ୍ନ ଟିଏ

ଚକମକ୍ ହେଇ ଜଳୁଥାଅ

ଜ୍ଜଳନ ହୃଦୟେ ଚନ୍ଦନ ପ୍ରଲେପ

ଶୀତଳତା ସ୍ପର୍ଶ ଦେଇଯାଅ...

ମହ ମହ ହୋଇ ମହକେ ତୋ ବାସ୍ନା

ପାଦଚିହ୍ନ ସେଇ ଅତୀତ ର

ଦିନ ଚାଲିଯାଏ ଚିହ୍ନ ଛାଡି ଦେଇ

ସଜ ଫୁଟା ହୋଇ ଜୀବନ ର.....




ଶିବ ଚରଣ ମହାପାତ୍ର

ଚକ୍ରଧରପୁର

କେନ୍ଦୁଝର

ଯୋଗାଯୋଗ-9439680230


Rate this content
Log in