STORYMIRROR

Bunee Tripathy

Others

4  

Bunee Tripathy

Others

ସ୍ମୃତି ଆମ ଅପାସୋରା

ସ୍ମୃତି ଆମ ଅପାସୋରା

1 min
400


ତୁମେ ଚାଲିଗଲ ଅଫେରା ରାଇଜେ

    ରହିଗଲି ହୋଇ ଏକା

ଏତେ କାଳ ଧରି ସଂସାର ରଥରେ

    ଦୁହେଁ ଥିଲେ ଦୁଇ ଚକା।


ତୁମେ ଗଲାପରେ ଚାହିଁଲେ ଖଟକୁ

    ତୁମ ସ୍ଥାନ ଅଛି ଖାଲି

 ଦୁଇଟି ତକିଆ ପଡିଅଛି ସିନା

     ଗୋଟିକରେ ମୁଣ୍ଡ ଦେଲି।

 

ଆଲଣା ଉପରେ ତୁମ ଶାଢୀସବୁ

    ସଜା ହୋଇ ଅଛି ରହି

ସିନ୍ଦୁର ଫରୁଆ ମେଲା ପଡିଅଛି

    ନାଇବାକୁ କେହିନାହିଁ।


ଠାକୁରଙ୍କ ଘଣ୍ଟ ବାଜିନାହିଁ ଆଜି

    ସବୁ ରହିଗଲା ଅଧା

ଯେଉଁଠି ଦେଖୁଛି ସେଇଠି ରହିଛି

    ଏ ସଂସାର ଅସଜଡା।


ପାଣି ଟୋପେ ପାଇଁ ଡହଳ ବିକଳ

    କେତେ ମୁଁ ହେଉଛି ଦେଖ

ସବୁ କାମ ମୋର ତୁମେ କରୁଥିଲ

    ପାଉଛି ମହଣେ ଦୁଃଖ।


ତୁମ ପ୍ରେମ ଆଜି ମନେ ପଡିଯାଏ

   ଜୀବନର ଅପରାହ୍ନେ

ଦିନଥିଲା ତୁମେ ସାଜି ମୋ ପ୍ରେମିକା

   ବୁଲୁଥିଲେ ରାତିଦିନ।


ତୁମ ମିଠା ସ୍ମୃତି ଅକୁହା କଥାକୁ

   ସାଇତିଛି ହୃଦେ ମୋର

ଅନ୍ତର ବେଦନା ମନର ଭାବନା

    ରଖିଛି ସବୁ ତୁମର।


ତୁମେ ସିନା ଆଜି ଗରବିଣୀ ସାଜି

   ସୀମନ୍ତିନୀ ଵେଶ ହେଲ

ବଜାଇଣ ତୁମେ ଅହ୍ଯ ଡେଙ୍ଗୁରାତ

   ସଧବାର ନାମେ ଗଲ।


ସାଜିଥିଲି ଦିନେ ତୁମ ପ୍ରିୟତମ

   ଆଖିର ତାରା ମୁଁ ଥିଲି

ଆଜି କିନ୍ତୁ ମୋତେ ଏକା କରିଦେଇ

   ତୁମ ବାଟେ ଗଲ ଚାଲି।


ସ୍ବାମୀ ସ୍ତ୍ରୀ ବନ୍ଧନ ଏତେ କି ଶିଥିଳ

    ନଥିଲି ତ ମୁହିଁ ଜାଣି

ତୁମ ବିରହରେ ଛଟପଟ ହୁଏ

   ନେଇଥାନ୍ତି କି ମେଲାଣି।


ଡାକିନିଅ ସାଥି ଅଛ ଯେଉଁଠାରେ

   ଏକାଠି କରିବା ବାସ

ସାତ ଜନ୍ମ ପାଇଁ କଥା ଦେଇଥିଲେ

    ରହିବ ନିତ୍ଯ ବିଶ୍ବାସ।


ପୁତ୍ର କନ୍ଯା କେହି ନୁହେଁ ଆପଣାର

    ଜାଣିଲି ଏତିକି ପରା

ମିଛର ସଂସାର ମିଛର ବନ୍ଧନ

   ସ୍ମୃତି ଆମ ଅପସୋରା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍