STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

ସକାଳରୁ ସଞ୍ଜ ଯାଏଁ

ସକାଳରୁ ସଞ୍ଜ ଯାଏଁ

1 min
114

ପାଦ ହାତ ମନ ଓ ମସ୍ତିଷ୍କ

ଅହରହ କିଛି ନା କିଛି କର୍ମ ନିରତ

ସକାଳରୁ ସଞ୍ଜ ହେବା ଯାଏଁ

ଓ ସଞ୍ଜରୁ ରାତି ପାହିବା ଯାଏଁ 

କିନ୍ତୁ ଗୋଟିଏ ପୂର୍ଣ୍ଣଛେଦ ପରେ

ମୁଁ ଯେବେ ଫେରିଚାହେଁ ପଛକୁ

ତେବେ ଏକ ଅଭ୍ୟସ୍ତ କର୍ମ ସାରଣୀରେ

ଅସଂଖ୍ୟ ଶୂନ୍ୟସ୍ଥାନ ଦେଖିବାକୁ ପାଏ।


ଗୋଟିଏ ଶୂନ୍ୟସ୍ଥାନକୁ ଭରିବାକୁ ଯାଇ

ମୁଁ ଖୋଳିଚାଲେ ଅଗଣିତ ଗର୍ତ୍ତ

ମୋ ହୃଦୟ ହ୍ରଦର ସ୍ଥିରତା ଭିତରେ

ଲହରୀ ଉଠେ ବହୁ ଦ୍ଵନ୍ଦ୍ୱ ବହୁ ତୁଚ୍ଛା ସର୍ତ୍ତ 

ତଥାପି ମୁଁ ଖୋଜିଚାଲେ କୁହୁଡ଼ି ପହଁରି

ଯଦିଓ ମୁଁ ଜାଣିଥାଏ ଏକାନ୍ତ ଅପ୍ରାପ୍ୟ

ସକାଳରୁ ସଞ୍ଜ ଯାଏଁ ଏଠି ଯାହା ଚାଲେ

ତାହା ଏକ ଅଭିଶପ୍ତ ଗନ୍ଧର୍ବର ଅଶାନ୍ତ ଚରିତ୍ର। 


ତୀବ୍ର ଗତିରେ ଧାଇଁଲା ବେଳେ ଆକାଶକୁ ଚାହିଁ

ଜହ୍ନ ବି ପାଦ ମିଶାଏ ସତେ ମୋ ସାଥିରେ

କ୍ଳାନ୍ତ ପାଦ କିନ୍ତୁ ବୁଝିପାରେ ନାହିଁ

ସେ ବେଙ୍ଗଳା ବୁଲୁଛି ତାର ସ୍ୱକଳ୍ପିତ ଇଚ୍ଛାର କେନ୍ଦ୍ର ପରିଧିରେ। 

ଛଳନାର ଶତ ଚକ୍ରବ୍ୟୂହ ଭେଦ କରେ ସମ୍ମୋହିତ ହୃଦୟକୁ ମୋର

କେବେ କ୍ଷତାକ୍ତ ହୋଇ କେବେ ପରାଜିତ ହୋଇ

କିନ୍ତୁ ଏକ ଅପରାହ୍ନ ପରେ ଯାହା ମିଳେ

ତାହା ଏକ ସ୍ୱତଃ ପ୍ରାପ୍ୟ କାନିରେ ଗଣ୍ଠିଟିଏ ପରି

ଅଗଣିତ ଇଚ୍ଛାକୃତ ପ୍ରଚେଷ୍ଟା ଭିତରେ। 


ଦିନ ଯେବେ ଘୁଙ୍ଗୁଡ଼ି ମାରେ ଦ୍ୱିପ୍ରହରଟାରେ

ଦିବାସ୍ୱପ୍ନର ଛାଇ ଦିଶେ ଖୋଲା ପଲକରେ

ରାତି ଯେବେ ଚେଇଁ ଉଠେ ତୃତୀୟ ପ୍ରହରେ

ମୁଁ ନିଜେ ନିଜକୁ ଅଣ୍ଡାଳେ ଅଚେତ ଅନ୍ଧାରେ

ତଥାପି ଅଙ୍କ କଷା ସରେ ନାହିଁ

ସକାଳରୁ ସଞ୍ଜ ହେବା ଯାଏଁ

ଉତ୍ତରରେ ଧନ୍ଦି ହେଉଥାଏ ଜୀବନଟା ସାରା

ଖୋଲା ଆଖି କିମ୍ବା ମୁଦି ହେଲା ପରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍