STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ସକାଳ ଆସିଛି ମୋ ଗାଁ ଦାଣ୍ଡରେ

ସକାଳ ଆସିଛି ମୋ ଗାଁ ଦାଣ୍ଡରେ

1 min
20.2K



ପାହାନ୍ତି ଆକାଶେ ଉଇଁଲେଣି ରବି

ଲିଭିଲାଣି କୁଆଁତାରା

ସକାଳ ସୂରୁଯ ବୁଣଇ ମୁରୁଜ

ହସେ ଶସାଗରା ଧରା ।।


କୁମ୍ଭାଟୁଆ ଗାଏ ପ୍ରଭାତୀ ସଂଗୀତ

କାକ ମୁଖେ ମନ୍ତ୍ର ପାଠ

କୁକୁଟ ରାବରେ ପ୍ରଭାତ ଆସଇ

ମନରେ ଭରି ଉଚ୍ଚାଟ ।।

ରାତିର ଅନ୍ଧାର ହଜିଲାଣି ଧୀରେ

ସପନ ଗଲାଣି ଭାଜି

ସୁବର୍ଣ୍ଣ କିରଣେ ବଣ ବିଲ ନଈ

ମଖମଲି ପାଟ ପିନ୍ଧି ।।


ପ୍ରଜାପତି ଉଡେ ଏ ଫୁଲେ ସେ ଫୁଲେ

ସକାଳର ରଂଗ ନେଇ

ପହିଲି କିରଣ ପହିଲି ପରଶେ

ପ୍ରୀତିଭାବ ତା' ଜାଗଇ ।।

ଦେବ ମୁହୂର୍ତ୍ତ ରେ ହସିଉଠେ ଗାଆଁ

ଆକାଶୁ ଝରେ ଚନ୍ଦନ

ଜାଇ-ଯୂଇ-ମଲ୍ଲୀ-ହେନାର ସୁବାସ

ମହକଇ ପୁନଃ ପୁନଃ ।।


ମଧୁର ମଳୟ ମଧୁର ମହକ

ସୁଗନ୍ଧିତ କରେ ମନ

ବେଦ ମନ୍ତ୍ର ପାଠ ଓଁ କାର ଶବଦ

ଭାସିଆସେ ଘନ ଘନ ।।


ଗାଧୁଆ ତୁଠରେ ହଳଦୀ ମାଖଇ

ନବବଧୂ ନବନିତା

ଚହଲା ପାଣିରେ ମୁହଁ ସେ ଦେଖଇ

ଲାଜକୁଳି ଚାରୁଲତା ।।

ଗୋଗଷ୍ଠ ରୁ ଗୋରୁ ଚାରଣ ଭୂଇଁ କୁ

ଚାଲିଲେଣି ଧୀରେ ଧୀରେ

ଚଷା ଭାଇ ମୋର ହାତେ ହଳ ଧରି

ବାହାରିଲେ କ୍ଷତପରେ ।।


ସକାଳ ଆସିଛି ମୋ ଗାଁ ଦାଣ୍ଡରେ

କେତେ ସପନକୁ ଧରି

ଫୁଲ ବଗିଚାରେ ଘାସ ଗାଲିଚାରେ

ପଡିଗଲାଣିତ ହୁରି ।।


ଶୁଭ ସକାଳର ଶୁଭ ମୁହୂର୍ତ୍ତ ରେ

ମୋ' ଗାଆଁ ହସୁଥାଉ

ଯେତେ ସୁଖ ଶାନ୍ତି ଯେତେକ ଐଶ୍ବର୍ଯ୍ଯ

ମୋ' ଗାଆଁ ଲଭୁଥାଉ ।।

-------------------------

ଅଧ୍ୟାପକ ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ, ବଡବିଲ ,କେନ୍ଦୁଝର।

ଦୂରଭାଷ-9438243149

12,06,2018 ।

-------------------------


Rate this content
Log in