ସଜଡ଼ା ଉଜୁଡ଼ା ସ୍ମୃତି
ସଜଡ଼ା ଉଜୁଡ଼ା ସ୍ମୃତି
ସ୍ମୃତି ଯେତେବେଳେ ସୁଖର ସପନେ
ରଙ୍ଗ ଅବିର ଲଗାଏ
ସେ ରଙ୍ଗରେ ଭିଜି ଜୋଛନାରେ ହଜି
ବଞ୍ଚିବା ଶିଖେଇ ଦିଏ ।
ସ୍ମୃତି ଯେତେବେଳେ କୋହ ମୋହ ହୋଇ
ଲୋତକରେ ଆଖି ଧୁଏ
ସେଭଳି ସ୍ମୃତି ତ ହୃଦୟକୁ ଦହି
ଜୀବନ୍ତରେ ମାରିଦିଏ ।
ସୁଖ ସ୍ମୃତି ହେଲେ ବହୁତ ହସାଏ
ଦୁଃଖ ସ୍ମୃତି ଜାଳିଦିଏ
ସେ ଜଳା ନିଆଁରେ ହୃଦୟ ପୋଡ଼ିକି
ଛାରଖାର ହୋଇଯାଏ ।
ମଧୁସିକ୍ତ ସ୍ମୃତି ମଧୁ ବରଷାଇ
ଜୀବନ ସଜାଡ଼ି ଦିଏ
ଦୁଃଖଭରା ସ୍ମୃତି ଅକୁହା ବ୍ୟଥାରେ
ଜୀବନ ଉଜୁଡ଼ି ଯାଏ ।
ଅସଜଡା ସ୍ମୃତି ଦୁଃଖ ଦରିଆରେ
ବହିଗଲେ ଶାନ୍ତି ମିଳେ
ସଜଡ଼ା ସ୍ମୃତିକୁ ସାଉଁଟି ରଖିଲେ
ପ୍ରୀତି ଦରିଆ ଉଛୁଳେ ।
ସଜଡ଼ା ସ୍ମୃତିକୁ ହୃଦୟରେ ରଖି
ଉଜୁଡ଼ା ବିଦାୟ ଦେଲେ
ସ୍ଥିତି ଅବସ୍ଥିତି ପରଖି ନିରେଖି
ଅଶାନ୍ତିରୁ ଶାନ୍ତି ମିଳେ ।
