ସିଂହ ସଙ୍ଗେ ମୁହାଁ ମୁହିଁ
ସିଂହ ସଙ୍ଗେ ମୁହାଁ ମୁହିଁ
ସିଂହ ସଙ୍ଗେ ମୁହାଁ ମୁହିଁ
ହୋଇଗଲା ଦିନେ,
ଖାଇବାକୁ ଗୋଡାଇଲା
ନିଛାଟିଆ ବନେ;
କହିଲି ମୁଁ ରହିଯା' ରେ ଭାଇ,
ମୁହିଁ ତୋର ଶୁଭାକାଂକ୍ଷୀ
ଶତ୍ରୁ ଜମା ନାହିଁ ।
ଦାନ୍ତ କଡମଡ କରି
ନିଶକୁ ଫୁଲାଇ,
କହିଲା ସେ ଅମଣିଷ
ଦୟା ତୋର ନାହିଁ;
ସୀମା ନାହିଁ ଲାଳସାର ତୋର
ନଖ ଦାନ୍ତ ଚର୍ମ ଲୋଭେ
କରୁ ତୁ ଶିକାର ।
ନିଜ ଘର ତୋଳିବାକୁ
ଭାଙ୍ଗୁ ଆମ ଘର,
ଗଛ କାଟି ଜଙ୍ଗଲକୁ
କରୁଛୁ ପ୍ରାନ୍ତର;
ଜଳ ବାୟୁ ହେଲାଣି ଦୂଷିତ,
ମିଛରେ ବୋଲାଉ କାହିଁ
ତୁ ଆମର ମିତ ?
ନିଜ ସଂଖ୍ୟା ବଢାଉଛୁ
ମାରି ଜୀବଜନ୍ତୁ,
ଧନ ସଞ୍ଚୁଅଛୁ ହେଲେ
ଧର୍ମ ନାହିଁ କିନ୍ତୁ ;
ରେ ନିର୍ଦ୍ଦୟ ଛାଡିବିନି ତୋତେ
ଏତିକି କହିଣ ପୁଣି
ଗୋଡାଇଲା ମୋତେ ।
ପାଟି କରି ଧାଇଁଲି ମୁଁ
ରକ୍ଷା କର ବୋଲି,
ହଠାତ୍ ନିଦ୍ରିତ ନେତ୍ର
ଗଲା ମୋର ଖୋଲି;
ପାଇଲି ନିଜକୁ ମୁହିଁ ଶେଯେ,
ସ୍ବପ୍ନ ଅବା ସତ୍ୟ ଥିଲା
ମନେ ମନେ ହେଜେ ।