ସୀମା
ସୀମା
1 min
286
ହୋଇଥାଆନ୍ତିକି ପକ୍ଷୀଟିଏ ମୁହିଁ
ନଥାନ୍ତା ମୋହରି ସୀମା
ଚତୁର୍ଦିଗେ ଉଡ଼ି ନେତ୍ର ପଖାଳନ୍ତି,
ଦେଖି ଏଇ ସବୁଜିମା ।
ନଥାନ୍ତା ମନରେ ଜାତି, ଧର୍ମ ଡର
ନଥାନ୍ତା ଗୁଳିର ଭୟ
ନଥାନ୍ତା ମନରେ ହିଂସା, ରାଗ,କ୍ରୋଧ,
ନା ସ୍ବପ୍ନ ଥାନ୍ତା ରାଜ୍ୟ ଜୟ ।
ନଥାନ୍ତା ଜୀବନେ ଚାକିରୀର ଚିନ୍ତା
ନଥାନ୍ତା ଭୋକିଲା ପେଟ
ବୃକ୍ଷଫଳ ଖାଇ ତୋଷିଥାନ୍ତି କ୍ଷୁଧା,
ବୁଲନ୍ତି ପର୍ବତ ଘାଟ ।
ଝରଣାର ମିଠା ଜଳ ପାନକରି
ଆନନ୍ଦେ ଯାଆନ୍ତି ଉଡ଼ି
ପବନ ଛୁଆଁରେ ନୀଳ ଆକାଶରେ,
ଯେସନ ଉଡ଼ଇ ଗୁଡ଼ି ।
ନଥାନ୍ତା ମୁଣ୍ଡରେ ଯୌତୁକର ବୋଝ
ନଥାନ୍ତା ଋଣର ଭାର
ବାରୁନଥାନ୍ତା ଏ' ମନ ମୋର ଏଠି,
କିଏ ନିଜ କିଏ ପର ।
ଜୀବନରେ ମୋର ଥାଆନ୍ତା ଆନନ୍ଦ
କଳହ ନଥାନ୍ତା ଜମା
ହୋଇଥାଆନ୍ତିକି ପକ୍ଷୀଟିଏ ମୁହିଁ,
ନଥାନ୍ତା ମୋହରି ସୀମା ।
