ସିଗାରେଟ:
ସିଗାରେଟ:
ସୀମା ବୋଲି କିଛି ନାହିଁ
ଯୁଦ୍ଧରେ, ପ୍ରେମରେ କି ମୃତ୍ୟୁରେ
କାହାର ପ୍ରସ୍ତୁତି କରିହୁଏ ସତରେ ..!!
ପାହାଡରୁ ପଥର ଖସିବା ଯୁଦ୍ଧ ନୁହେଁ
ଅନେକ କ୍ଷୟ କ୍ଷତି ହେଲେବି
ହୋୟାଂ ହୋ ଗତିପଥ ବଦଳେଇବା,
ଯୁଦ୍ଧ ନୁହେଁ
ମହାମାରୀରେ ସଭ୍ୟତାଟିଏ ଧ୍ୱଂସ ହେଇଯିବା ବି
ଯୁଦ୍ଧ ନୁହେଁ
ହେଲେ ଆକାଶରୁ ପର ଖସିବା
ହେଇପାରେ ଯୁଦ୍ଧ...!
ତେପନ ମିନିଟରେ
ଲକ୍ଷ୍ୟସ୍ଥଳରେ ପହଂଚୁଥିବା ମିଶାଇଲର
ଗତି ନିରୀକ୍ଷଣ ସହ ବଢୁଥିବା ସ୍ପନ୍ଦନ
ଠିକ ସେତିକି ବେଳେ
ଆବେଗ କି ଆଶଂକାରେ
ଝାଳ ହେଇ ନିଗିଡି ପଡିଥିବା ରକ୍ତ
ସାମ୍ନାର ଦୁଇଟି ଆଖି ପାଇଁ
ପରବର୍ତ୍ତି ପଲକପାତର ଆକଳନ
ହେଇପାରେ ଯୁଦ୍ଧ ।
ଅହଂକାରର ପକ୍ଷ ରହିବା
ଜରୁରୀ, ଯୁଦ୍ଧରେ !!
ଯୁଝୁ ଥିବା ଲୋକ ପାଇଁ ଜୀବନ ବି ଯୁଦ୍ଧ ।
କହନ୍ତି,
ପ୍ରେମର ପ୍ରଥମ କରାଘାତ ହୁଏ କଲିଜାରେ ?
କେହି କେହି ପ୍ରେମକୁ ଭୋଗନ୍ତି
ପ୍ରେମର ଅନୁପସ୍ଥିତିରେ
ପ୍ରଥମରୁ ହିଁ ନିଜ କଲିଜାକୁ କାଟି କାଟି
ସେମାନେ ଅଳ୍ପ ଅଳ୍ପ ମରନ୍ତି ଜିଇଁବାର ଅନୁଭବରେ ?
ମୃତ୍ୟୁ ପାଇଁ ବୈଧାନିକ ସତର୍କତା ....!!
ଲୋକଟିର ତାଜୁବ ହସରେ ହିଁ
ନିଆଁ ଲାଗିଯାଏ ପବନରେ
ନିଜ ଓଠରେ ଓଟାରି ଆଣେ ଖଣ୍ଡ ଖଣ୍ଡ କଲିଜା
ନିଜ ରକ୍ତାକ୍ତ ଛାତିରୁ,
ଦୁଇ ଆଂଗୁଠି ମଝିରେ ଖେଳେଇ ଖେଳେଇ ପୋଡେ
ଖୁବ ତୃପ୍ତିରେ ଶୋଷଡିନିଏ ପୋଡା କଲିଜାର ବାସ୍ନା !
ତା'କୁ ପଚାର
କ'ଣ ହେଇପାରେ
ଜୀଇଁବାର ବୈଧାନିକ ସତର୍କତା !
ପଚାର,
ବାରମ୍ବାର ଗଜୁରି ପାରୁଥିବା କଲିଜାର ବୀଜ
କେମିତି ସଂପୂର୍ଣ୍ଣ ନଷ୍ଟ କରାଯାଇ ପାରେ,
ଯୁଦ୍ଧରେ, ପ୍ରେମରେ ନା ମୃତ୍ୟୁରେ ?
