ସିଧାକଥା-69
ସିଧାକଥା-69
ବିନା କାରଣରେ କୌଣସି ଘଟଣା ଘଟି ନ ଥାଏ ସଂସାରେ,
କାମଦେଖି ଫଳ ଫଳୁଛି ଆମର ହେଉପଛେ ବିଳମ୍ବରେ |
ବିଶ୍ୱାସ ସୁଦୃଢ଼ ଥିଲେ ସଫଳତା ମିଳିଥାଏ ସହଜରେ,
ବିଶ୍ଵାସ ହରାଇ ଜିତିନାହିଁ କେହି କେବେ ଏହି ଜଗତରେ |
ଜୀବନ ହେଉଛି ଚିତ୍ର ଆଙ୍କିବାକୁ ଈଶ୍ୱରଙ୍କ ତୂଳୀଟିଏ,
ଆମେ ଆଙ୍କିଦେଲେ ଆବୁରୁ ଜାବୁରୁ ତାକୁ ଲିଭେଇବ କିଏ ?
ଈଶ୍ୱର ହସିବେ ଦୁନିଆ ହସିବ ରହିବ ଜନ-ମନରେ,
ଅତି ଯତନରେ ସୁନ୍ଦର ଚିତ୍ରଟି ଆଙ୍କିଦେବା ସେ ତୂଳିରେ |
ସମୟ ଚକ୍ରରେ ଜୀବନ ଆମର ଘୂରି ବୁଲୁଥାଏ ନିତି,
କେତେ ଦୁଃଖ-ସୁଖ ଯାତନା ଆନନ୍ଦ ଯାଉଥାଏ ଭେଟିଭେଟି |
କାନ୍ଦିବା ଛନ୍ଦିବା ରାନ୍ଧିବା ବାନ୍ଧିବା ଶୁଣିବାକୁ ଏକାପରି,
ଆଚରଣ ବେଳେ କିଏ ମାରୁଥାଏ ପୁଣି କିଏ ଯାଏ ମରି |
