ଶୁଆ-ସାରୀ କଥା
ଶୁଆ-ସାରୀ କଥା
ଜଙ୍ଗଲ ସେପାଖୁ ଶୁଆ-ସାରୀ ଦୁଇ
ଆସି ବସିଲେ ପ୍ରାସାଦେ
ଦୁଃଖ-ସୁଖ ସବୁ ବଖାଣିଲେ ବସି
ମଣିଷ ସମାଜ ଭେଦେ ।
ଶୁଆ କହେ ସାରୀ ପରତେ ନଯିବୁ
ଅବିଶ୍ବାସୀ ଏ ମଣିଷ
ରଚିବେ ଯୋଜନା କରି କଳପନା
ଶିଖେଇ ଆପଣା ଭାଷ ।
ପର ଭାଷା ମୋହେ ପଡ଼ିଗଲେ ତୁହି
ଭୁଲିବୁ ଆପଣା ଭାଷ
ବନ୍ଦୀର ଜୀବନ ବିତାଇବୁ ତୁହି
ଲଭିବୁ ଦୁଃଖ ଅବଶ୍ୟ ।
ପୂର୍ବକାଳେ ଦେଖ ଏ ମଣିଷ ଜାତି
ଥିଲା ଭାରି ସ୍ବାଭିମାନ
ପଶୁ-ପକ୍ଷୀ ହିତେ ଦେଉଥିଲେ ଜ୍ଞାନ
ଯଶସ୍ବୀ ମହର୍ଷି ମାନ ।
ଏବେ ନାହିଁ ଆଉ ସେ ଯୁଗ ବାରତା
ମଣିଷଟା ବେଇମାନ
ପାଶ୍ଚାତ୍ୟ ସଂସ୍କୃତି ଆପଣେଇ ସିଏ
ହରେଇଚି ସ୍ବାଭିମାନ ।
ଆମ ଜାତି ମଧ୍ୟ ସେହି ପରକାରେ
ପଡ଼ି ତାଙ୍କରି ଫାଶରେ
ହୁଏ ହୀନିମାନ ହେଇ ପରାଧିନ
ରହେ ପଞ୍ଜୁରୀ ଭିତରେ ।
ବେଳ ଥାଉ ଭଜ ରାମ ନାମ ତୁହି
ନିଜର ହୃଦ କନ୍ଦରେ
ଦେବେ ସଦବୁଦ୍ଧି ଏ ପକ୍ଷୀ ସମାଜେ
ନଥିବ ଭୟ ମନରେ ।।
