ଶ୍ରୀକୃଷ୍ଣାୟ ନମୋ ନମଃ
ଶ୍ରୀକୃଷ୍ଣାୟ ନମୋ ନମଃ
ଛନ୍ଦା ଚରଣରେ ବନ୍ଧା ଏ ପରାଣ
ତୁମେ ସିନା ମୋର ଜୀବନ କାରଣ l0l (ଘୋଷା )
ବାଞ୍ଛାକଳ୍ପ ତରୁ ଆହେ ମହାମେରୁ
ଭାବଗ୍ରାହୀ ଭାବେ ବନ୍ଧା ହୋଇବାରୁ
ସକଳ ଘଟରେ ତୁମେ ପରିପୂର୍ଣ୍ଣ
କୀଟରୁ ବ୍ରହ୍ମ ପ୍ରମାଣ l
ଛନ୍ଦା ଚରଣରେ ................ I01l
ଯୁଗେଯୁଗେ ହରି ମଞ୍ଚେ ଅବତରି
ସାଧୁଜନେ ପାଳ ଦୁଷ୍ଟଙ୍କୁ ସଂହାରି
ଦୀନଜନ ବନ୍ଧୁ ପ୍ରଭୁ ଦୀନବନ୍ଧୁ
ଜଗତ ଜନ ତାରଣ l
ଛନ୍ଦା ଚରଣରେ ................ I02l
ଯତି ଜିଣା କାନ୍ତି ନୀଳମେଘ ଭାନ୍ତି
ଧନ୍ୟ ଗୋପବାଳା ଲୀଳାରାସେ ମାତି
ପାଇ ପ୍ରେମାନନ୍ଦ ଚିହ୍ନିଲେ ଗୋବିନ୍ଦ
ଭବୁ କରିଲ ତାରଣ l
ଛନ୍ଦା ଚରଣରେ .................l03l
ତୁମ ଗୁଣ ଯେତେ କେ ଜାଣେ ଜଗତେ
ଆତଙ୍ଗେ ଡାକିଲେ ଶ୍ରବଣ ତୁରିତେ
ଦ୍ରୌପଦୀ ଆକୁଳ ଶୁଣିଣ ଦୁକୁଳ
କୋଟିଏ ଦେଲ ତକ୍ଷଣ l
ଛନ୍ଦା ଚରଣରେ .................l04l
ନାହିଁ ଜ୍ଞାନ ମୋର କଳିଯୁଗ ନର
ଗତି ମୁକ୍ତି ଦାତା କୃଷ୍ଣ ଦାମୋଦର
ଗୁହାରି ମୋହର ଏତିକି ମାତର
ନାମରେ ଯାଉ ପରାଣ l
ଛନ୍ଦା ଚରଣରେ ................. I05l
ସବୁ ମିଛ ମାୟା ଭବେ ଯେତେ କାୟା
ପିତା ମାତା ଭ୍ରାତା ବନ୍ଧୁ ପୁତ୍ର ଜାୟା
ଭଣେ ପ୍ରେମାନନ୍ଦ ତୁମେ ଏକା ସାହା
ଚରଣେ ଗଲି ଶରଣ l
ଛନ୍ଦା ଚରଣରେ ............... I06l
