ଶ୍ରୀ ଜଗନ୍ନାଥ
ଶ୍ରୀ ଜଗନ୍ନାଥ
ଷାଠିଏ ପଉଟି ଅଣ୍ଟିଲାନି ବୋଲି
ଦାସିଆ ନଡ଼ିଆ ନେଲୁ
ସୁଦାମା ଭଳି ବନ୍ଧୁ ଥାଉ ଥାଉ
ମହାନ୍ତିକୁ ବନ୍ଧୁ କଲୁ ।
ଶ୍ରୀ ମନ୍ଦିର ରତ୍ନସିଂହାସନ ଥାଉ ଥାଉ
ନନ୍ଦି ଘୋଷେ ବିଜେ କଲୁ
ନନ୍ଦିଘୋଷ ରଥ ଥାଉ ଥାଉ ତୋର
ବାଲି ରଥେ ମନ ଦେଲୁ ।
ଘିଅ ଅମ୍ବରୁତ ଛେନା ଥାଉ ଥାଉ
ପୋଡ଼ ପିଠାକୁ ଖାଇଲୁ
ଶ୍ରୀ ମନ୍ଦିର ଛାଡି ଦାଣ୍ଡକୁ ବାହାରି
ଭକ୍ତଙ୍କ ମନ ମୋହିଲୁ ।
ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ
ସ୍ତ୍ରୀକୁ ଘରେ ଛାଡିଲୁ
ଲକ୍ଷ୍ମୀ ଭଳି ସ୍ତ୍ରୀ ମନ୍ଦିରରେ ଛାଡି
ମାଉସୀ ଘରେ ରହିଲୁ ।
ଲକ୍ଷ୍ମୀ ହଟହଟା କରିଥିଲେ ବୋଲି
ଲକ୍ଷ୍ମୀଙ୍କୁ ଏକାକୀ କଲୁ
ନଅ ଦିନ କାଳ ବାହାରେ ବୁଲି
ଲକ୍ଷ୍ମୀ ଠୁଁ ବଦଲା ନେଲୁ ।
ଲକ୍ଷ୍ମୀ ଭାଙ୍ଗିଦେଲେ ନନ୍ଦିଘୋଷ ତୋର
ରାଗ ତମ ତମ ହୋଇ
କିଛି କହିଲୁନି ଚୁପଚାପ ରହିଲୁ
ମୁରୁକି ହସକୁ ଦେଇ ।
ନଅ ଦିନ କାଳ ବାହାରେ ରହିଲୁ
ଲକ୍ଷ୍ମୀଙ୍କୁ ଚିଲେଇ ଚିଲେଇ
ଭକ୍ତଙ୍କ ମେଳରେ ଶ୍ରୀ ମନ୍ଦିର ଫେରିଲୁ
ଲକ୍ଷ୍ମୀଙ୍କୁ ବୁଝେଇ ସୁଝେଇ ।
