STORYMIRROR

SOUBHAGYABATI GIRI

Children Stories

4  

SOUBHAGYABATI GIRI

Children Stories

ଶ୍ରୀ ଗଣେଶ

ଶ୍ରୀ ଗଣେଶ

1 min
295

   (ରାଗ - ଶଙ୍କରାଭରଣ)

ଜୟ ଜୟ ଗଣାଧିପ ସିଦ୍ଧି ବିନାୟକ,

ଅଗ୍ରପୂଜ୍ୟ ଦେବ ତୁମ୍ଭେ ବିଘ୍ନ ବିନାଶକ ।

ଗଣନାଥ ଲମ୍ବୋଦର,

ଗଜାନନ, ବିଘ୍ନରାଜ ନାମ ଯେ ତୁମ୍ଭର॥


ଗଣେଶ ଓ ଗଣପତି ପୁଣି ଏକଦନ୍ତା,

ହେରମ୍ବ ଓ ବକ୍ରତୁଣ୍ଡ ସାଥେ ବିଦ୍ୟାଦାତା।

ମହାଦେବ ତବ ପିତା,

ଜଗତ ଜନନୀ ପାର୍ବତୀ ଅଟନ୍ତି ଯେ ମାତା॥


ବେନି କରେ ଧରିଅଛ ପାଶଅଙ୍କୁଶକୁ,

ବାହନ ତବ କରିଛ ମୂଷିକରାଜଙ୍କୁ।

କପାଳରେ ଧରି ସୋମ,

କି କହିବି ପ୍ରଭୁ ତୁମେ କେଡେ ମନୋରମ॥


ନରଦେହଟି ତୁମ୍ଭର ଦିଶେ ଧୂମ୍ରବର୍ଣ୍ଣ,

ଗଜଶିର ସାଥେ ପୁଣି ଶୋଭେ ସୂର୍ପକର୍ଣ୍ଣ।

ଲଡୁ ହସ୍ତେ ଧରି,

ସ୍କନ୍ଧେ ଉପବୀତ ବଢାଉଛି ଶୋଭା ଶିରୀ॥


ଭାଦ୍ରବର ଶୁକ୍ଲପକ୍ଷ ଚତୁର୍ଥୀ ଲଗ୍ନରେ,

ପାଦ ଥାପିଥିଲ ପ୍ରଭୁ ଧରିତ୍ରୀ ବକ୍ଷରେ।

କଥା ରଖି ମାତାଙ୍କର,

ପିତାଙ୍କ ସହିତ ଯୁଝି ଦେଇଦେଲ ଶିର॥


ତେଜ ଧରିଛ ପ୍ରଭୁ ହେ କୋଟି ସୂର୍ଯ୍ୟଙ୍କର,

ଉଦରେ ରଖିଛ କୋଟି ବିଦ୍ୟାର ଭଣ୍ଡାର।

ତବ ନାମ ଦେଲେ ଧରି,

ଦୁଃଖ କଷ୍ଟ ସବୁ ମନୁ ଯାଏ ଅପସରି॥


ବିଦ୍ୟା ବୁଦ୍ଧିରେ କେହି ତ ନୁହଁ ତୁମ ସରି,

ପିତାମାତାଙ୍କର ଚାରିପଟେ ଗଲ ଘୁରି।

ହରାଇଲ ଅଗ୍ରଜଙ୍କୁ,

ପିତାମାତା ବଡ ଜଣାଇଲ ଯେ ସଭିଙ୍କୁ॥


ବୁଦ୍ଧିଦାତା ଅଟ ପୁଣି ସିଦ୍ଧିଦାତା ତୁମ୍ଭେ,

ତୁମ୍ଭ ନାମର ସ୍ମରଣ କାର୍ଯ୍ୟ ଶୁଭାରମ୍ଭେ।

ଘେନ ଭକ୍ତି ପୁଷ୍ପାଞ୍ଜଳି,

ସର୍ବବିଘ୍ନ ଦୂରକର ଏତିକି ଯେ ଅଳି॥


ଶୁଭବୁଦ୍ଧି ସାଥେ ପୁଣି ଦିଅ ଦିବ୍ୟଜ୍ଞାନ,

ଯୋଡହସ୍ତ ହୋଇ ପ୍ରଭୁ କରୁଛି ପ୍ରଣାମ।

ଆହେ ପାର୍ବତୀନନ୍ଦନ,

କର ପ୍ରଭୁ ସଂସାରର ଅରିଷ୍ଟ ଖଣ୍ଡନ॥


ତୁମ୍ଭରି ଶରୀରେ ଭରା ସର୍ବଦେବ ଶକ୍ତି,

ବିଦ୍ୟା ବୁଦ୍ଧି ପ୍ରାପ୍ତ ହୁଏ କଲେ ତୁମ୍ଭ ଭକ୍ତି।

ପ୍ରଣତି ଘେନା କର,

ଦିଅ ବାରେ ପ୍ରଭୁ କୋଟି ବିଦ୍ୟାର ଭଣ୍ଡାର॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍